ଉପରମୁହାଁ କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ନେଇ ପଞ୍ଜାବ ସରକାର ରାଜ୍ୟରେ କୋଭଡି କଟକଣାକୁ ଆହୁରି କଡାକଡି କରିଛନ୍ତି | ରାଜ୍ୟରେ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । ଏହାସହ ସ୍କୁଲ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ପଞ୍ଜାବରେ ଏବେ ବସ୍, ସିନେମା ହଲ, ଜିମ୍, ରେସ୍ତାରାଁଗୁଡିକ ୫୦ ପ୍ରତିଶତ କ୍ଷମତା ସହ ଚାଲିବ । ବଢୁଥିବା କରୋନା ସଂକ୍ରମଣକୁ ନେଇ ପଞ୍ଜାବ ସରକାର ତରଫରୁ ମଙ୍ଗଳବାର ଏକ ଅଧିକାରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି। ଏହି ବୈଠକ ପରେ ଏସବୁ କଟକଣା କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ରାଜ୍ୟରେ ରାତି ୧୦ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । ଏହା ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଓ ଏହାପରେ ପରିସ୍ଥିତି ଦେଖି ନିର୍ଣ୍ଣୟ ନିଆଯିବ । ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ତୁରନ୍ତ ପ୍ରଭାବରେ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସିନେମା ହଲ, ରେସ୍ତାରାଁ ଓ ବସଗୁଡିକ ୫୦ ପ୍ରତିଶତ କ୍ଷମତା ସହ ଚଳାଇପାରିବେ ବୋଲି କୁହାଯାଇଛି ।