କରୋନା ସଙ୍କଟ ମଧ୍ୟରେ ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି | ତେବେ ଏବେ ନଜର ରାଜ୍ୟର ପଞ୍ଚାୟତ ନିର୍ବାଚନ ଉପରେ ରହିଛି । ବଢୁଥିବା ସଂକ୍ରମଣକୁ ଦେଖି ନିର୍ବାଚନ ହେବ ନା ଘୁଂଚିବ ଏନେଇ ସାରା ରାଜ୍ୟ ବାସୀଙ୍କ ନଜର ଥିବା ବେଳେ, ରାଜ୍ୟ ନିର୍ବାଚନ କମିଶନ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି | ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି । ଆଜି ଏହି ସର୍ବଦଳୀୟ ବୈଠକ ଅତି ଗୁରୁତ୍ୱପୂର୍ଣ୍ଣ । ଏହି ବୈଠକରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତାବ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ରଖିବେ ।
ଏହା ପରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ରାଜ୍ୟ ନିର୍ବାଚନ କମିଶନ ଭେଟିବାର କାର୍ଯ୍ୟକ୍ରମ ରହିଛି । ଶନିବାର ଦିନ ପଞ୍ଚାୟତ ନିର୍ବାଚନ ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏବଂ ନିର୍ବାଚନ କମିଶନଙ୍କ ନିକଟରେ ସଂରକ୍ଷଣ ତାଲିକା ମଧ୍ୟ ପ୍ରଦାନ କରିଥିଲା ପଞ୍ଚାୟତରାଜ ବିଭାଗ । କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଆଗକୁ କେମିତି ପଞ୍ଚାୟତ ନିର୍ବାଚନ ହେବ ? ସମସ୍ତଙ୍କୁ ସୁରକ୍ଷିତ ରଖି କିପରି ନିର୍ବାଚନ କରାଯାଇ ପାରିବ ସେନେଇ ରାଜ୍ୟ ସରକାର ଓ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।