ଆଗକୁ ଆସୁଛି ବିଧାନସଭା ନିର୍ବାଚନ । ଏଥିପାଇଁ ଆରମ୍ଭ ହୋଇଯାଇଛି ବଳ କଷାକଷି । ପଂଜାବ ମଧ୍ୟ ଏହି ଦୌଡରେ । ପଂଜାବରେ ଏବେ ବିଧାନସଭା ନିର୍ବାଚନକୁ ନେଇ ଦୌଡ ଆରମ୍ଭ ହୋଇଯାଇଥିବା ବେଳେ କଂଗ୍ରେସ କିନ୍ତୁ ଚିନ୍ତାରେ । ଏହି ଚିନ୍ତାର କାରଣ ହେଉଛନ୍ତି ନବଜ୍ୟୋତ ସିଂ ସିଦ୍ଧୁ । ତାଙ୍କର ଏକ ଅଜବ ଜିଦି ଏବେ କଂଗ୍ରେସକୁ ଅଡୁଆରେ ପକାଇଛି ।
ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା ପାଇଁ ଜିଦ୍ ଧରି ବସିଛନ୍ତି। ଏଥିପାଇଁ ସିଦ୍ଧୁ ଦଳକୁ ଏକ ଅଲ୍ଟିମେଟମ୍ ଦେଇଛନ୍ତି।ସିଦ୍ଧୁଙ୍କ ଏହି ଅଲ୍ଟିମେଟମ୍ ପଞ୍ଜାବ କଂଗ୍ରେସରେ ନିର୍ବାଚନ ପୂର୍ବରୁ ଅଶାନ୍ତ ସୃଷ୍ଟି କରିଛି। କଂଗ୍ରେସର ବହୁ ନେତା ମନ୍ତ୍ରୀ ତାଙ୍କୁ ମନାଇବା ପାଇଁ ଲାଗିପଡିଛନ୍ତି। କ୍ୟାବିନେଟ ମନ୍ତ୍ରୀ ଅମରିନ୍ଦର ସିଂହ ରାଜା ୱାରିଙ୍ଗ ଏବଂ ସିଦ୍ଧୁଙ୍କ ନିଟକବର୍ତ୍ତୀ କୁହାଯାଉଥିବା ଫତେହଗଡ ସାହେବ ସାଂସଦ ଡଃ. ଅମର ସିଂଙ୍କ ତାଙ୍କ ଘରେ ପହଞ୍ଚି ତାଙ୍କୁ ବୁଝାଇବାରେ ଲାଗିଛନ୍ତି ।
ପଞ୍ଜାବ କଂଗ୍ରେସର ସୂତ୍ର ଅନୁସାରେ, ସିଦ୍ଧୁ କଂଗ୍ରେସ ହାଇକମାଣ୍ଡଙ୍କୁ ଏହା ସ୍ପଷ୍ଟ କରିଛନ୍ତି ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦଳ ମୁଖ୍ୟମନ୍ତ୍ରୀ କିଏ ହେବ? ତାହା ଯଦି ସ୍ପଷ୍ଟ ନକରନ୍ତି ତେବେ ସେ ପ୍ରଚାର କରିବେ ନାହିଁ।