ଛାତ୍ର ସଂଗଠନ ପକ୍ଷରୁ ଆଜି ବିହାର ବନ୍ଦ ଡାକରା

ଅଶାନ୍ତ ହୋଇପଡିଛି ବିହାର । ଛାତ୍ର ସଂଗଠନ ପକ୍ଷରୁ ଆଜି ବିହାର ବନ୍ଦ ଡାକରା ଦିଆଯାଇଛି । ଜାନୁଆରୀ ୨୬ରେ ଦେଶ ସାଧାରଣତନ୍ତ୍ର ପାଳୁଥିବା ବେଳେ ରେଲୱେ ନିଯୁକ୍ତି ବୋର୍ଡର ଦୁଇ ପରୀକ୍ଷା ନୀତିକୁ ନେଇ ବିହାରରେ ତୁମୁଳକାଣ୍ଡ ଘଟାଇଥିଲେ ଉତ୍ତ୍ୟକ୍ତ ଛାତ୍ର । ବିକ୍ଷୋଭ ପ୍ରଦର୍ଶନ ସହିତ ଗୟାରେ ଏକ ଟ୍ରେନରେ ନିଆଁ ଲଗାଇଦେଇଥିଲେ ।

ଏହି ଘଟଣାକୁ ନେଇ ତିନି ଦିନ ହେବ ଆଶାନ୍ତ ରହିଛି ବିହାର । ଛାତ୍ର ଅଶାନ୍ତି ଚରମ ସୀମାରେ ପହଞ୍ଚିବା ପରେ କେନ୍ଦ୍ର ରେଳମନ୍ତ୍ରୀ ଲେଭଲ ପରୀକ୍ଷାକୁ ବାତିଲ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଅସୁବିଧାକୁ ସମାଧାନ ପାଇଁ ଏକ କମିଟି ଗଠନ କରିଛନ୍ତି । ଏହାକୁ କେନ୍ଦ୍ରର ଏକ ଚକ୍ରାନ୍ତ କହି ଆଜି(ଶୁକ୍ରବାର) ଅଲ ଇଣ୍ଡିଆ ଛାତ୍ର ସଂଙ୍ଗଠନ ଏବଂ ଅନ୍ୟ ଛାତ୍ର ସଂଗଠନ ବିହାର ବନ୍ଦ ଡାକରା ଦେଇଛନ୍ତି ।

ଛାତ୍ରଛାତ୍ରୀଙ୍କ କଥା ଶୁଣିବା ପାଇଁ ଏକ କମିଟି ଗଠନ ହୋଇଛି । ମାର୍ଚ୍ଚ ୪ ପୂର୍ବରୁ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ହୋଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଆଲୋଚନା ଚାଲିଛି । କେହି ଆଇନକୁ ହାତକୁ ନିଅନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ । କେନ୍ଦ୍ରର ଏହି କମିଟି ଗଠନ ଓ ତଦନ୍ତ ପ୍ରତିଶ୍ରୁତିକୁ ପରେ ବି ବିକ୍ଷୋଭକାରୀମାନେ ପଛଘୁଞ୍ଚା ଦେବାକୁ ମନା କରିଛନ୍ତି ।

ଏଆଇଏନଏ ଓ ଅନ୍ୟ ଛାତ୍ର ସଂଗଠନ କହିଛନ୍ତି ରେଳ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ଏହି କମିଟି ପ୍ରଦେଶ ନିର୍ବାଚନ ପର୍ଯ୍ୟନ୍ତ ଏହି ପ୍ରସଙ୍କକୁ ଟାଳି ଦେବା ପାଇଁ ଏକ ଷଡଯନ୍ତ୍ର ।ସୂଚନାଥାଉ କି ଘଟଣା ନେଇ ଯୁଟ୍ୟୁବର ଖାନ ସାର ଏବଂ ଅନ୍ୟ ୧୬ ଜଣ ଛାତ୍ରଙ୍କ ବିରୋଧରେ ପତ୍ରକାର ଥାନାରେ ମାମଲା ରୁଜ୍ଜୁ ହୋଇଛି । ପରୀକ୍ଷାର୍ଥୀଙ୍କୁ ହିଂସାକାଣ୍ଡ ଘଟାଇବା ନେଇ ଉସକାଇବା ଅଭିଯୋଗରେ ଖାନ ସାରଙ୍କ ନାମରେ ମାମଲା ଦାୟର ହୋଇଛି ।

ପ୍ରକାଶ ଥାଉ କି, ୨୦୧୯ରେ ଆରଆରବି ପକ୍ଷରୁ ଏନଟିପିସି ବର୍ଗରେ ୩୫ ହଜାର ପଦବୀ ପାଇଁ ବଜ୍ଞପ୍ତି ବାହାରିଥିଲା । ଏ ନିମନ୍ତେ କେବଳ ଗୋଟିଏ ପରୀକ୍ଷା ଦେବାକୁ କୁହାଯାଇଥିଲା । ଗତବର୍ଷ ଅନୁଷ୍ଠିତ ପରୀକ୍ଷା କମ୍ପ୍ୟୁଟର ବେସ (ସିବିଟି-୧) ଟେଷ୍ଟରେ ପ୍ରାୟ ୬୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯାହାର ଫଳାଫଳ ଜାନୁଆରୀ ୧୫ରେ ପ୍ରକାଶ ପାଇଥିଲା । ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ସିବିଟି-୨ ଦେଇପାରବେ ବୋଲି ରେଲୱେ ପକ୍ଷରୁ ଚୂଡାନ୍ତ ହୋଇଥିଲା । ବୋର୍ଡରେ ଏହି ନିଷ୍ପତ୍ତିକୁ ଆଶାୟୀମାନେ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Related Posts