ସତ୍ୟପାଠ, ୨୦/୧୨: କେରଳରେ ରାଜନୈତିକ ଶତ୍ରୁତାକୁ ନେଇ ନିର୍ମମ ହତ୍ୟାକାଣ୍ଡ ଘଟିଛି। 10 ଘଣ୍ଟା ଭିତରେ ଦୁଇ ନେତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । କେରଳରେ ସୋଶିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI) ଏବଂ ଭାରତୀୟ ଜନତା ପାର୍ଟିର ଦୁଇ ରାଜ୍ୟସ୍ତରୀୟ ନେତାଙ୍କୁ ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ଜଣାପଡିଛି ।
ହତ୍ୟା ସନ୍ଦେହରେ ପୋଲିସ ଏପର୍ଯ୍ୟନ୍ତ 11 ଜଣଙ୍କୁ ଗିରଫ କରିସାରିଲାଣି । 10 ଘଣ୍ଟାରେ ଦୁଇ ଦୁଇ ହତ୍ୟାକୁ ନେଇ କେରଳ ଆଲାପୁଜ୍ଜା ଜିଲ୍ଲାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ଶନିବାର ବିଳମ୍ବିତ ରାତିରେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆର ନେତା କେ.ଏସ୍ ଶାନଙ୍କୁ ହତ୍ୟା କରାଯାଇଥିଲା ।ସେ ବାଇକରେ ଯାଉଥିବା ବେଳେ ପଛପଟୁ ଏକ କାର୍ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ତଳେ ପଡ଼ିଯିବା ପରେ କିଛି ଲୋକ କାରରୁ ବାହାରିଥିଲେ । ଏବଂ ତାଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସତ୍ତ୍ୱେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଶରୀରରେ ୪୦ରୁ ଅଧିକ କ୍ଷତ ଚିହ୍ନଟ ରହିଥିବା ଜଣାପଡିଥିଲା ।ସେହିପରି 40 ବର୍ଷୀୟ ବିଜେପି ନେତା ଶ୍ରୀନିବାସଙ୍କୁ ତାଙ୍କ ଘର ଭିତରେ ପସି ଆକ୍ରମଣକାରୀମାନେ ହତ୍ୟା କରିଥିଲେ । ସେ ଓବିସି ମୋର୍ଚ୍ଚା କେରଳର ରାଜ୍ୟ ସଚିବ ତଥା ବିଜେପି ରାଜ୍ୟ କମିଟିର ସଦସ୍ୟ ଥିଲେ।