ସ୍ପାଇନାଲ୍ମସ୍କୁଲାର ଆଟ୍ରୋଫି ଟାଇପ୍-୨ ନାମକ ଏକ ଦୁରାରୋଗ୍ୟରେ ପୀଡ଼ିତ କନ୍ଧମାଳର କୁନି ପୁଅ ରାଜବୀର ଚିକିତ୍ସା ପାଇଁ ସହାୟତା ମାଗିଲେ ବଲିଉଡ ଅଭିନେତା ସୋନୁ ସୁଦ । ରାଜବୀରଙ୍କ ଚିକିତ୍ସା ପାଇଁ ୧୬ କୋଟି ଟଙ୍କାର ଇଞ୍ଜେକସନ୍ ଦରକାର । ଯାହା ଯୋଗାଡ଼ କରିବା ତାଙ୍କ ପରିବାର ପାଇଁ ଅସମ୍ଭବ ।
ଏହାପରେ ମୁମ୍ବାଇରେ ସୋନୁ ସୁଦଙ୍କ ସହାୟତା ଲୋଡ଼ିଛନ୍ତି ରାଜବୀରଙ୍କ ପରିବାର । ସେମାନଙ୍କ ପାଖରୁ ସବୁ କଥା ଶୁଣିଲା ପରେ ୧୬ କୋଟିର ଇଞ୍ଜେକ୍ସନ ପାଇଁ ସାହାଯ୍ୟ କରିବାକୁ ସୋନୁ ସୁଦ୍ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ରାଜବୀର ଚିକିତ୍ସା ପାଇଁ ସାହାଯ୍ୟ କରିବେ ବୋଲି ସୋନୁ ପ୍ରତିଶ୍ରୁତି ବି ଦେଇଛନ୍ତି । ରାଜବୀର ସ୍ପାଇନାଲ୍ମସ୍କୁଲାର ଆଟ୍ରୋଫି ଟାଇପ୍-୨ ନାମକ ଏକ ଦୁରାରୋଗ୍ୟରେ ପୀଡ଼ିତ |
କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଗଞ୍ଜୁଗୁଡ଼ା ପଞ୍ଚାୟତ ଆମ୍ବପଡ଼ା ଗାଁର କୁଳମଣି ରଣା ଓ ତମଲିକା ଦାସଙ୍କ ଏକମାତ୍ର ପୁଅ ରାଜବୀର । ଜନ୍ମହେବାର ୬ ମାସ ପର୍ଯ୍ୟନ୍ତ ସେ ସୁସ୍ଥ ଓ ସ୍ୱାଭାବିକ ଥିଲା । କିଛିଦିନ ପରେ ତାର ଗୋଡ଼, ହାତ, ପିଠି ଓ ହାଡ଼ ନରମ ହେବାରେ ଲାଗିଲା । ପରୀକ୍ଷା ନିରୀକ୍ଷା ପରେ ଦୁରାରୋଗ୍ୟ ସମ୍ପର୍କରେ ଜଣା ପଡ଼ିଥିଲା ।
ଏହି ରୋଗର ଚିକିତ୍ସା ଆମେରିକାରେ ହେଉଥିବା ବେଳେ ଗୋଟିଏ ଇଞ୍ଜେକ୍ସନ୍ର ଦାମ୍ ୧୬ କୋଟି ଟଙ୍କା । ବେଙ୍ଗାଲୁରୁର ବାପଟିଷ୍ଟ ଡାକ୍ତରଖାନାରେ ରାଜବୀର ଚିକିତ୍ସା ଚାଲିଛି । ଡାକ୍ତର କହିଛନ୍ତି, ୪ ମାସ ଭିତରେ ଜୀବନ ରକ୍ଷକ ଇଞ୍ଜେକସନ୍ ରାଜବୀରଙ୍କୁ ଦେବାକୁ ପଡ଼ିବ ।