ଓମିକ୍ରନ ପାଇଁ ପୁରୀ ପ୍ରଶାସନର ତତ୍ପରତା, ବାହାରୁ ଆସୁଥିବା ଶ୍ରଦ୍ଧାଳୁ ଓ ହୋଟେଲ-ଲଜ ଉପରେ କଡା ନଜର

ସତ୍ୟପାଠ 23/12 ପୁରୀ: ଓଡ଼ିଶାରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ପୁରୀରେ ବି ଏହାର ଭୟ ଦେଖିବାକୁ ମିଳିଛି। ଏପଟେ ଏହି ସଂକ୍ରମଣକୁ କିପରି ରୋକାଯାଇ ପାରିବ ସେଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ରେଳଷ୍ଟେସନ, ବସଷ୍ଟାଣ୍ଡରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଡା ନଜର ରଖିଛି ପ୍ରଶାସନ। ହୋଟେଲ ମାନଙ୍କରେ କୋଭିଡ ନିୟମ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନ ବ୍ୟାନ କରାଯାଇଥିବା ବେଳେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆସନ୍ତା ୩୧ ରୁ ୨ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରଖାଯିବା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି। ପାଖେଇ ଆସୁଛି ଖ୍ରୀଷ୍ଟମାସ ଓ ନୂଆବର୍ଷ। ଏହାକୁ ସେଲିବ୍ରେଟ କରିବା ପାଇଁ ପୁରୀରେ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବଢୁଛି। ତେବେ ଦେଶରେ ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ବଢ଼ି ଚାଲିଥିବାବେଳେ ପୁରୀକୁ ରାଜ୍ୟ ତଥା ଦେଶ ବାହାରୁ ପର୍ଯ୍ୟଟକମାନେ ଆସୁଥିବାରୁ ଚିନ୍ତାରେ ପଡିଛି ପ୍ରଶାସନ। ତେବେ ଏହି ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଫିବର କ୍ଲିନିକ୍ ଖୋଲିବା ସହ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇ ତଥ୍ୟ ରଖାଯିବ। ସେହିପରି ଜିଲ୍ଲାରେ କୋଭିଡ ଟେଷ୍ଟିଙ୍ଗ ଓ ଟିକାକରଣ ଅଭିଯାନ ଜୋରସୋରରେ କରାଯିବ କହିଛନ୍ତି ସିଡିଏମଓ। ସେପଟେ ଓମିକ୍ରନ ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଭିଡକୁ ଦୃଷ୍ଟିରେ ରଖି ହୋଟେଲ ମାନଙ୍କରେ ଜିରୋ ନାଇଟ ଓ ନୂଆବର୍ଷ ସେଲିବ୍ରସନ ଉପରେ ରୋକ ଲଗାଯାଇଥିବା କହିଛନ୍ତି ଜିଲ୍ଲାପାଳ।

ଅନ୍ୟପଟେ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ଜମିବା ଆଶଙ୍କା ଥିବାରୁ ପ୍ରଶାସନର ଏସଓପି ଅନୁଯାୟୀ ଆସନ୍ତା ୩୧ରୁ ଜାନୁଆରୀ ୨ ତିନିଦିନ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରଖାଯାଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରୁଥିବା ସମସ୍ତ ସେବାୟତଙ୍କ ପ୍ରାୟତଃ ଡବଲ ଡୋଜ ଟିକାକରଣ ସରିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି। ଏପଟେ କୋଭିଡର ପ୍ରଥମ ଓ ଦ୍ବିତୀୟ ଲହର ପରେ ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ହୋଟେଲ ମାଲିରମାନେ ଭୟଭୀତ ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେବା ସହ ସରକାରଙ୍କ କୋଭିଡ ନିୟମକୁ କଡାକଡି ପାଳନ କରୁଥିବା କହିଛନ୍ତି। ପୁରୀକୁ ଆସୁଥିବା ପର୍ଯ୍ୟଟକ ମାନେ ସଠିକ ଭାବେ କୋଭିଡ ନିୟମ ଅନୁପାଳନ କରିବା ପାଇଁ ନିବେଦନ କରିଛନ୍ତି ଓଡିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ଗୁରୁବାର ସୁଦ୍ଧା ପୁରୀ ଜିଲ୍ଲାରେ କୋଭିଡ ଟିକାର ପ୍ରଥମ ଡୋଜ ୮୬ ପ୍ରତିଶତ ସରିଥିବା ବେଳେ ୭୭ ପ୍ରତିଶତ ଦ୍ବିତୀୟ ଡୋଜ ଟିକାକରଣ ଶେଷ ହୋଇଛି। ତେବେ ଏହାକୁ ଶତ ପ୍ରତିଶତ କରିବା ପାଇଁ ଉଦ୍ୟମ ଚାଲିଥିବା ବେଳେ ପୁରୀ ଜିଲ୍ଲାରେ ଦୈନିକ ୨ ହଜାର ଆରଟିପିସିଆର ସାମ୍ପୁଲ ଟେଷ୍ଟ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। ସେହିପରି କ୍ବାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟିମ୍ କାର୍ଯ୍ୟ କରୁଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

Related Posts