
ଭାରତ ଗସ୍ତ ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମୁଁ ଭାରତର ଲୋକଙ୍କୁ ଭେଟିବାକୁ ଅପେକ୍ଷା କରିଛି। ସେଠାରେ ଲକ୍ଷାଧିକ ଲୋକଙ୍କ ଗହଣରେ ଯିବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବୈଠକ କରିବି। ସେ ମୋର ଜଣେ ଭଲ ବନ୍ଧୁ। ସେ ମୋତେ କହିଛନ୍ତି କି ଏଠାରେ ଏବେ ଏକ ବଡ଼ ଆୟୋଜନ ହେବ।
ଟ୍ରମ୍ପଙ୍କ ପୂର୍ବରୁ ତାଙ୍କର ଝିଅ ଇଭାଙ୍କା ଟ୍ରମ୍ପ ଭାରତ ଗସ୍ତ ନେଇ ଟୁଇଟ କରିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଥମ ମହିଳା ମେଲାନିଆଙ୍କ ସହିତ ଯିବାକୁ ନେଇ ମୁଁ ବହୁତ ଖୁସି ଅନୁଭବ କରୁଛି। କାରଣ ଏହା ହେଉଛି ଇଭାଙ୍କାଙ୍କ ଦ୍ୱିତୀୟ ଭାରତ ଗସ୍ତ। ସେ ଏହା ପୂର୍ବରୁ ୨୦୧୭ରେ ଭାରତ ଗସ୍ତ କରିଥିଲେ।
ସୂଚନାଯୋଗ୍ୟ, ଟ୍ରମ୍ପ ଅହମଦାବାଦରେ ଏକ ବିଶାଳ ରୋଡ ଶୋ’ କରିବେ। ଏଥିରେ ପ୍ରାୟ ୧ ଲକ୍ଷ ଲୋକ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି। ସୋମବାର ଆଗ୍ରାର ତାଜମହଲ ଦେଖିବାକୁ ଯିବେ। ଏହା ପରେ ଦିଲ୍ଲୀ ଯିବେ। ମଙ୍ଗଳବାର ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ହ୍ରାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷୀକ ବୈଠକରେ ଅଂଶଗ୍ରହଣ କରିବେ। ସେହିପରି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ତାଙ୍କ ପାଇଁ ରାତ୍ରୀ ଭୋଜନ ବ୍ୟବସ୍ଥା କରାଯାଇଛି। ଏହା ପରେ ଟ୍ରମ୍ପ ଆମେରିକା ଫେରିଯିବେ।
ତେବେ ଟ୍ରମ୍ପଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟ୍ରମ୍ପଙ୍କ ରୋଡ ଶୋ’ରେ ପ୍ରାୟ ୧୦ ହଜାର ସୁରକ୍ଷାକର୍ମୀ ଉପସ୍ଥିତ ରହିବେ। ଆମେରିକା ସୁରକ୍ଷାକର୍ମୀଙ୍କ ବ୍ୟତୀତ ଏନଏସଜି, ଗୁଜୁରାଟ ପୋଲିସ ଓ ଦିଲ୍ଲୀ ପୋଲିସ ମୁତୟନ ହେବେ। ଟ୍ରମ୍ପଙ୍କ ପାଇଁ ସାତସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହୋଟେଲ ତାଜ ଏବଂ ଆଇଟିସି ମୌର୍ଯ୍ୟାରେ ରହଣି ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।