
ନୂଆଦିଲ୍ଲୀ : ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ଜେଲ୍ । ବିଧାୟକଙ୍କ ସମେତ ଅନ୍ୟ ୯ ଜଣଙ୍କୁ 3 ମାସର ଜେଲ୍ ଦଣ୍ଡ ଶୁଣାଇଛନ୍ତି ମେହସାଣାର ଜିଲ୍ଲା କୋର୍ଟ । ଗୁଜରାଟର ମେହସାଣା ସହରରେ ବିନା ଅନୁମତିରେ ରାଲି କରିବା ମାମଲାରେ ଶୁଣାଣୀ କରି ବିଧାୟକ ଜିଗ୍ନେଶ ମେୱାନୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ମାମଲାରେ ମେହସାଣାର ଜିଲ୍ଲା କୋର୍ଟ ଅନ୍ୟ ୯ ଜଣଙ୍କୁ ମଧ୍ୟ ଦଣ୍ଡ ଶୁଣାଇଛନ୍ତି।
୨୦୧୭ ମହିସାରେ ମେହସାଣା ସହରରେ ରାଲି କରିବା ସହ ବେଆଇନ ଭାବେ ଜନସଭା ଆୟୋଜନା କରିବା ନେଇ ମାମଲା ଜିଗ୍ନେଶ ମେୱାନୀଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।
ରିପୋର୍ଟ ଅନୁସାରେ, ସମସ୍ତ ଦୋଷୀଙ୍କୁ ତିନି ମାସର ଜେଲ ଦଣ୍ଡ ସହ ଏକ ହଜାର ଲେଖାଏଁ ଜରିମାନା ଲାଗୁ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ମେୱାନୀଙ୍କ ସହ ଏନସିପିର ନେତା ରେଶମା ପଟେଲ ମଧ୍ୟ ସାମିଲ ଅଛନ୍ତି।
ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଜେଏ ପରମାର ମାମଲାର ଶୁଣାଣି କରି କହିଛନ୍ତି, ରାଲି କରିବା ଅପରାଧ ନୁହେଁ, କିନ୍ତୁ ବିନା ଅନୁମତିରେ ରାଲି କରିବା ଅପରାଧ। ଏହାସହ ଅବମାନନାକୁ ଗ୍ରହଣ କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି।
ଉନାରେ କିଛି ଦଳିତଙ୍କୁ ସର୍ବସାଧାରଣ ସ୍ଥାନରେ ମାଡ ମରା ଘଟଣାର ଏକ ବର୍ଷ ପୂର୍ତ୍ତି ଅବସରରେ ମେୱାନୀ ଏବଂ ତାଙ୍କ ସହଯୋଗୀ ୨୦୧୭ ଜୁଲାଇ ୧୨ରେ ଆଜାଦୀ ମାର୍ଚ୍ଚର ଆୟୋଜନ କରିଥିଲେ। ମେହସାଣାରୁ ପଡୋଶୀ ଜିଲ୍ଲା ବନାସକାଣ୍ଠାର ଧନେରା ଯାଏଁ ରାଲି ବାହାର କରିଥିଲେ।