
ଏନ୍ଡିଏ ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଧର୍ମଘଟ । ମଙ୍ଗଳବାର ସକାଳ ୬ଟାରୁ ଗୁରୁବାର ସକାଳ ୬ଟା ଯାଏଁ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ଡାକରା ଦିଆଯାଇଛି ।
ଏଥିରେ ଆଇଏନ୍ଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଟୁ, ଏଆଇୟୁଟିୟୁସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ସଂଘ ସମେତ ଜାତୀୟସ୍ତରର ବିଭିନ୍ନ ସ୍ୱାଧୀନ ଶ୍ରମିକ ଓ କର୍ମଚାରୀ ସଂଗଠନଙ୍କ ସମେତ ଦେଶର ବାମପନ୍ଥୀ ଚାଷୀ ସଂଗଠନଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଧର୍ମଘଟ ଯୋଗୁଁ ବିଭିନ୍ନ ସ୍ଥାନରେ ରେଳରୋକ କରାଯାଇଥିବା ବେଳେ ଜାତୀୟ ରାଜପଥରେ ଟ୍ରକ୍ ଚଳାଚଳ ବନ୍ଦ ରହିଛି ।
ବାଲେଶ୍ୱର ଷ୍ଟେସନରେ ଗୌହାଟୀ- ଥିରୁଅନନ୍ତପୁରମ ଏକ୍ସପ୍ରେସକୁ ଆନ୍ଦୋଳନକାରୀ ଅଟକାଇଥିଲେ । ଜଳେଶ୍ୱର ଷ୍ଟେସନରେ ଖଡ଼ଗପୁର- ଖୋର୍ଦ୍ଧାରୋଡ଼ ପାସେଞ୍ଜର ଟ୍ରେନ୍କୁ ଅଟକାଇଛନ୍ତି।
କଟକ ରେଳ ଷ୍ଟେସନରେ ଆନ୍ଦୋଳନକାରୀ ଗରିବ ରଥକୁ ଅଟକାଇଛନ୍ତି। ଭୁବନେଶ୍ୱରଠାରେ ଜାତୀୟ ରାଜପଥକୁ ଆନ୍ଦୋଳନକାରୀମାନେ ଅବରୋଧ କରିଛନ୍ତି। ପୁରୀ ଠାରେ ମଧ୍ୟ୍ୟ ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ବିକ୍ଷାଭ କରି ଟ୍ରେନ୍ ଛାଡ଼ୁନାହାଁନ୍ତି।