
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : କରୋନାର ଦ୍ବିତୀୟ ଲହର ପାଇଁ ବିରୋଧୀ ଲଗାତର ମୋଦୀ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କରୋନାଭାଇରସର ଦ୍ବିତୀୟ ଲହର ବିଷୟରେ ଚେତାବନୀ ଦେଇ ନାହାଁନ୍ତି କିମ୍ବା ମହାମାରୀର ମୁକାବିଲା ପାଇଁ ସେମାନଙ୍କୁ ସାହାଯ୍ୟ କରିନଥିବା ପଞ୍ଜାବ ଅର୍ଥ ମନ୍ତ୍ରୀ ଅଭିଯୋଗ କରିଛନ୍ତି। ପଞ୍ଜାବର ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ ଶୁକ୍ରବାର ଦିନ ଏକ ସାକ୍ଷାତକାରରେ କହିଛନ୍ତି ଯେ ଏହା ଗତ 73 ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ସବୁଠାରୁ ବଡ ବିଫଳତା। ଏହା ଏକ ଜେନେରେସନ୍ କ୍ଷତି ବୋଲି ସେ କହିଛନ୍ତି। କୋଭିଡ୍ ର ଦ୍ବିତୀୟ ଲହରରେ ପଞ୍ଜାବ ଉପରେ ପଡିଥିବା ପ୍ରଭାବକୁ ସେ 1947 ମସିହାରେ ଭାରତ ସ୍ବାଧୀନତା ସମୟର ବିଭାଜନ ସହିତ ତୁଳନା କରିଛନ୍ତି । ଯେଉଁ ସମୟରେ ବିଭାଜନ କାରଣରୁ ଦେଶରେ ଅସ୍ଥିରତା ଦେଖାଦେଇଥିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ଦ୍ବିତୀୟ ଲହର ନିୟନ୍ତ୍ରଣ କରିବା ପାଇଁ ଅନେକ ରାଜ୍ୟ ଲକଡାଉନ୍ ଘୋଷଣା କରିଛନ୍ତି ଯାହା ଭାରତକୁ ବିଶ୍ୱର କୋଭିଡ -19 ମହାମାରୀର କେନ୍ଦ୍ରରେ ପରିଣତ କରିଛି ବୋଲି ସେ କହିଛନ୍ତି । ମହାମାରୀର ସେକେଣ୍ଡ ୱେବ୍ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ -19 କୁ ପରାସ୍ତ କରିଥିବା ଦାବି କରିଥିଲେ। ଏହି ବିଷୟରେ ବାଦଲ କହିଛନ୍ତି ଯେ, ଏହା ଦ୍ବାରା ଭାରତର ବହୁତ କ୍ଷତି ହୋଇଛି। ଏଥିସହ କେନ୍ଦ୍ର ସରକାର ବିଶ୍ୱ ସମୁଦାୟ ତଥା ବିଦେଶୀ ଭାରତୀୟଙ୍କ ସହାୟତା ନେଉଛନ୍ତି ବୋଲି ସେ କହିଛନ୍ତି। ଭାରତର ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ହ୍ରାସ ପାଉଛନ୍ତି ଏବଂ ମହାମାରୀ କାରଣରୁ କାମ୍ ବନ୍ଦ ହେତୁ ଲକ୍ଷ ଲକ୍ଷ ଲୋକ ଦାରିଦ୍ର୍ୟକୁ ଠେଲି ହେଉଛନ୍ତି। ସେ କହିଛନ୍ତି ଯେ ଭାରତରେ ସୂଚନାକୁ ଚାପି ଦିଆଯାଉଛି। ପ୍ରକୃତ ତଥ୍ୟ ବାହାରକୁ ଆସି ପାରୁ ନାହିଁ। ପଞ୍ଜାବର ସ୍ଥିତିକୁ ନେଇ ସେ କହିଛନ୍ତି, ମେଡିକାଲ ଉପକରଣ, ଟିକା ଏବଂ ଔଷଧର ଘୋର ଅଭାବ ରହିଛି ଏବଂ ପଶୁ ଲ୍ୟାବ ଏବଂ ଫରେନସିକ୍ ଲ୍ୟାବକୁ କୋଭିଡ ଲ୍ୟାବ୍ ରେ ପରିଣତ କରାଯାଇଛି ।ଏହି ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ପାଣ୍ଠି ଯୋଗାଇ ଦେଉନଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଏବେ କେନ୍ଦ୍ର ସରକାର ତିନୋଟି କୃଷି ଆଇନକୁ ରଦ୍ଦ କରିବାର ସମୟ ଆସିଛି କାରଣ ଦିଲ୍ଲୀ ସୀମାରେ କୃଷକଙ୍କ ବିରୋଧ ଅନ୍ୟ ଏକ ସୁପର-ସ୍ପ୍ରେଡର୍ ଇଭେଣ୍ଟ ହୋଇପାରେ ।