ରେକର୍ଡ ଭାଙ୍ଗିଲା ଟିଟିଲାଗଡ ତାପମାତ୍ରା: 40 ଡ଼ିଗ୍ରୀ ଉପରେ 21ଟି ସହରର ତାପମାତ୍ରା

ଭୁବନେଶ୍ୱର: ଅସହ୍ୟ ଗରମରେ ଛଟପଟ ଜନଜୀବନ । ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତେବେ ଆସନ୍ତା ମେ’ ମାସର ପ୍ରଥମ ସପ୍ତାହରେ ତାତି ରୁ ତ୍ରାହି ମିଳିପାରେ । ବଙ୍ଗୋପସାଗରରେ ଲଘୁଚାପ ଓ ବାତ୍ୟା ଆଶଙ୍କା ଥିବାବେଳେ ଆଜି ବି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତତଲା ହାୱା ସାଙ୍ଗକୁ ଅସହ୍ୟ ଗୁଳିଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବାବେଳେ ଆଜି ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରେକର୍ଡ ହୋଇଛି । ଯାହାକି ଚଳିତ ଗ୍ରୀଷ୍ମ ଋତୁରେ ସର୍ବାଧିକ ତାପମାତ୍ରା ବୋଲି ଜଣାପଡ଼ିଛି । ଏହାସହିତ ଆଜି ବୌଦ୍ଧରେ ତାପମାତ୍ରା ତୃତୀୟ ଦିନ ପାଇଁ ୪୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରରେ ବି ୪୫ ଡିଗ୍ରୀ ରହିଛି ।

ଅନ୍ୟପଟେ, ଆଜି ରାଜ୍ୟର ୨୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ୯ଟି ସ୍ଥାନରେ ୪୪ ଡିଗ୍ରୀ ଓ ୩ଟି ସ୍ଥାନରେ ୪୫ ଡିଗ୍ରୀ ସେଲସିୟସ ଉପରେ ରହିଛି ।

ରାଜ୍ୟ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆଜି ରାଜ୍ୟର ୯ଟି ସ୍ଥାନରେ ୪୪ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଟିଟିଲାଗଡ଼ ସହରରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରହିଛି । ଯାହାକି ଚଳିତ ଗ୍ରୀଷ୍ମ ଋତୁରେ ସର୍ବାଧିକ ତାପମାତ୍ରା ବୋଲି ଜଣାପଡ଼ିଛି । ବୌଦ୍ଧ ଓ ବଲାଙ୍ଗିରରେ ତାପମାତ୍ରା ୪୫ ଡିଗ୍ରୀ ରହିଥିବାବେଳେ ଝାରସୁଗୁଡ଼ାରେ ୪୪.୯, ସୋନପୁରରେ ୪୪.୭, ଅନୁଗୁଳରେ ୪୪.୫, ସମ୍ବଲପୁରରେ ୪୪.୩, ବରଗଡ଼ରେ ୪୪.୪ ଓ ସୁନ୍ଦରଗଡ଼ରେ ୪୪ ଡିଗ୍ରୀ ସେଲସିୟସ ରହିଛି । ଗୋପାଳପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩୦.୮ ଡିଗ୍ରୀ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱର ଓ କଟକରେ ଆଜି ତାପମାତ୍ରା ଅପେକ୍ଷାକୃତ କମ୍ ଥିଲେ ମଧ୍ୟ ଗୁଳିଗୁଳି ଅଧିକ ରହିଛି । ଭୁବନେଶ୍ୱରରେ ତାପମାତ୍ରା ୩୭.୮ ଡିଗ୍ରୀ ଓ କଟକରେ ୩୬.୮ ଡିଗ୍ରୀ ରେକର୍ଡ ହୋଇଛି ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ମେ’ ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୫ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଣ୍ଡାମାନର ଦକ୍ଷିଣରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାଫଳରେ ମେ’ ୬ରେ ଏହା ଅବପାତ ଓ ୭ରେ ବାତ୍ୟାର ରୂପ ନେଇ ଉପକୂଳ ଆଡ଼େ ମୁହାଁଇବ । ଏହା ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ଏହି ଘୂର୍ଣ୍ଣିବଳୟ ଓ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ମେ’ ୮ରୁ ବର୍ଷା ହେବା ସହ ହିଟ୍ ୱେଭ ସ୍ଥିତିରେ ସୁଧାର ଆସିବ ବୋଲି ଜଣାପଡ଼ିଛି । ଅବଶ୍ୟ ଏହି ସମ୍ଭାବ୍ୟ ଲଘୁଚାପ ଓ ବାତ୍ୟାକୁ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି ।

Related Posts