କଣ୍ଟାବାଞ୍ଝିରେ ହୋଇଥିଲା ଷଡଯନ୍ତ୍ର?, ଜବାବ ରଖିଲେ ନବୀନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ କଣ୍ଟାବାଞ୍ଝି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ଓ ନିର୍ବାଚନ ହାରିବାକୁ ନେଇ ଏବେ ଜୋରଦାର ଚର୍ଚ୍ଚା | ନବୀନଙ୍କୁ ଷଡଯନ୍ତ୍ର କରି ଜାଣିଶୁଣି ହାରିବାକୁ କଣ୍ଟାବାଞ୍ଝି ପଠାଯାଇଥିଲା । ନିକଟରେ ବିଜେଡି ଛାଡିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଦେଇଥିବା ଏହି ବୟାନ ପରେ ଏବେ ଏନେଇ ସୋସିଆଲ ମିଡିଆରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ହୋଇଛି |

ସେପଟେ ନିଜେ ନବୀନ ତାଙ୍କର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଏ ଚର୍ଚ୍ଚାକୁ ଦୃଢ ନିନ୍ଦା କରିଛନ୍ତି। ନବୀନ ଲେଖିଛନ୍ତି, ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ନେଇ କିଛି ନ୍ୟସ୍ତ ସ୍ୱାର୍ଥ ଥିବା ବ୍ୟକ୍ତିଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଗୁଜବ ଓ ମିଥ୍ୟା ପ୍ରଚାରର ଦୃଢ଼ ନିନ୍ଦା କରୁଛି। ଏମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇ ଥିଲେ। ଏପରି କି ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ କରିବାକୁ ପଛାଇ ନଥିଲେ। ଏପରି ବିଭ୍ରାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିମାନେ କିଏ ଓଡ଼ିଶାବାସୀ ଏବେ ଠିକ୍ ବୁଝିଲେଣି। ପ୍ରଭୁ ଜଗନ୍ନାଥ ଏପରି ଗୁଜବ ତଥା ଅପପ୍ରଚାରରୁ ଦୂରେଇ ରହିବା ପାଇଁ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ | ତେବେ ନବୀନ ନିଜ ପୋଷ୍ଟ ରେ କାହାରି ନାଁ ନେଇ ନାହାନ୍ତି |

https://x.com/Naveen_Odisha/status/1853818591592005901

ତେବେ ବିଜେଡି ଛାଡିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ କହିଥିଲେ ଯେ, ନବୀନଙ୍କୁ ହାରିବାକୁ ଜାଣିଶୁଣି କଣ୍ଟାବାଞ୍ଝି ପଠାଯାଇଥିଲା। ୨୦୧୯ରେ ସେହି ସିଟରେ ଲକ୍ଷ୍ମଣ ବାଗ ମାତ୍ର ୧୨୬ ଖଣ୍ଡ ଭୋଟରେ ହାରିଥିଲେ। ସେଠାରେ ଯାଦବ ଭୋଟ ସଂଖ୍ୟା ପ୍ରାୟ ୯୩ ହଜାର। ଏଭଳି ଅବସ୍ଥାରେ ନବୀନଙ୍କୁ ସେଠାରୁ ଚକ୍ରାନ୍ତ କରି ପ୍ରାର୍ଥୀ କରାଯାଇଥିଲା।ନବୀନ ହାରିଥିଲେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ବୋଲି ସେ କହିଥିଲେ।

ତେବେ ଗତ ନିର୍ବାଚନରେ ବରୀ ଆସନରୁ ସୁନନ୍ଦାଙ୍କ ଟିକେଟ କାଟିଥିଲା ବିଜେଡି | ହେଲେ ସୁନନ୍ଦାଙ୍କ ସ୍ୱାମୀ ଦେବେନ୍ଦ୍ରଙ୍କୁ ନବୀନ ଲଢ଼ୁଥିବା କଣ୍ଟାବାଞ୍ଝି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦେଇଥିଲା ଦଳ | ହେଲେ କଣ୍ଟାବାଞ୍ଝି ଆସନରୁ ନବୀନ ହାରିଥିଲେ | ନିକଟରେ ଦଳରେ ଅବହେଳା କରାଯାଉଥିବା କହି ସୁନନ୍ଦା ବିଜେଡି ଛାଡିଥିଲେ | ସେ ବିଜେପିରେ ମିଶିବା ନେଇ ସ୍ପଷ୍ଟ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା |

Related Posts