
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଟୀକାକରଣ ପଲିସି କୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ପଶ୍ଚିମ ବଙ୍ଗର ମମତା ବାନାର୍ଜୀ ସରକାର । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଶୁକ୍ରବାର ଦିନ ସୁପ୍ରିମ କୋର୍ଟରେ ଦାୟର ହୋଇଥିବା ଏକ ଯାଚିକାରେ କୁହାଯାଇଛି ଯେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ପର୍ଯ୍ୟାପ୍ତ ସଂଖ୍ୟାରେ କରୋନା ଟିକା ଉପଲବ୍ଧ କରାଇବା ସହ ରାଜ୍ୟମାନଙ୍କୁ ମାଗଣାରେ ଟିକା ଦେବା ଉଚିତ । ଏଥିପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ ବେଙ୍ଗଲ ସରକାର ନିଜ ଆବେଦନରେ କହିଛନ୍ତି । ଏହି ଆବେଦନ ଉପରେ ସୋମବାର ସୁପ୍ରିମ କୋର୍ଟ ଶୁଣାଣି ଆରମ୍ଭ କରିବେ । ପଶ୍ଚିମବଙ୍ଗ ସରକାର କହିଛନ୍ତି ଯେ ସର୍ବଭାରତୀୟ ଟୀକାକରଣ ଅଭିଯାନକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଉଭୟ ଘରୋଇ ଏବଂ ବିଦେଶୀ ଉତ୍ପାଦନକାରୀ ସଂସ୍ଥାଙ୍କୁ ଅର୍ଡର ଦେବା ଉଚିତ୍ ।ମେ ପହିଲାରୁ ଆରମ୍ଭ ହୋଇଥିବା ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ଟିକାକରଣରେ କେନ୍ଦ୍ର ସରକାର ଟିକାର ଭିନ୍ନ ଭିନ୍ନ ଦରକୁ ନେଇ ଅନେକ ରାଜ୍ୟ ବିରୋଧ କରିଛନ୍ତି । କେନ୍ଦ୍ର ସରକାର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ କୋଭିଶିଲ୍ଡ ଟିକା ଓ ଭାରତ ବାୟୋଟେକରୁ କୋଭାକ୍ସିନ୍ ଟିକା କିଣୁଥିଲା । ସେହି ଟିକାକୁ ରାଜ୍ୟମାନଙ୍କୁ ମାଗଣାରେ ବଣ୍ଟନ କରୁଥିଲା କେନ୍ଦ୍ର । କିନ୍ତୁ ତୃତୀୟ ପର୍ଯ୍ୟାୟ ଟୀକାକରଣରେ ଏହି ନୀତି କୁ ବନ୍ଦ କରିଦିଆଯାଇଛି ।ବର୍ତ୍ତମାନ ଟିକା ଉତ୍ପାଦନ କରୁଥିବା ସଂସ୍ଥା ଗୁଡ଼ିକ ରାଜ୍ୟ ତଥା ବେସରକାରୀ ସଂସ୍ଥାମାନଙ୍କୁ ୫୦ ପ୍ରତିଶତ ଡୋଜ୍ ଯୋଗାଇ ଦେଉଛନ୍ତି । ବାକି ଟିକା ଶସ୍ତା ଦରରେ କେନ୍ଦ୍ର ସରକାରଙ୍କୁ ବିକ୍ରି କରାଯାଉଛି, ଯାହାକୁ ମାଗଣାରେ ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଓ ୪୫ ବର୍ଷରୁ ଅଧିକ ବୟସ୍କ ମାନଙ୍କୁ ଦିଆଯାଉଛି । ସେରମ୍ ଇନଷ୍ଟିଚ୍ୟୁଟ୍ କୋଭିଶିଲ୍ଡ ଟିକା ରାଜ୍ୟମାନଙ୍କ ପାଇଁ ୪୦୦ ଟଙ୍କା ଓ ଘରୋଇ ଡାକ୍ତରଖାନା ପାଇଁ ୬୦୦ ଟଙ୍କା ଘୋଷଣା କରିଥିବା ବେଳେ ଭାରତ ବାୟୋଟେକ୍ କୋଭାକ୍ସିନ୍ ଟିକାର ଦର ଯଥା କ୍ରମେ ୬୦୦ ଟଙ୍କା ଓ ୧,୨୦୦ ଟଙ୍କା ଧାର୍ଯ୍ୟ କରିଛି । କିନ୍ତୁ ଏହାକୁ ନେଇ ବିରୋଧ ହେବା ପରେ ସେରମ୍ ଇନଷ୍ଟିଚ୍ୟୁଟ ଟିକା ଦାମ୍ ହ୍ରାସ କରି ରାଜ୍ୟ ସରକାରଙ୍କ ପାଇଁ ୩୦୦ ଓ ଭାରତ ବାୟୋଟେକ୍ ୪୦୦ ଟଙ୍କା ଘୋଷଣା କରିଛି। ।ପଶ୍ଚିମ ବଙ୍ଗରେ ଗତ ସପ୍ତାହରେ ବିଧାନ ସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିପୁଳ ବିଜୟ ହାସଲ କରି ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଚାର୍ଗେଟ୍ କରିଛନ୍ତି ।