ମାଟ୍ରିକ ପରୀକ୍ଷା ଦେବାକୁ ଆସି ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ

ରାୟଗଡ଼ା: ରାଜ୍ୟରେ ଚାଲିଛି ମାଟ୍ରିକ ପରୀକ୍ଷା | ତେବେ ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳାର ସହ କରିବା ନେଇ ସରକାରଙ୍କ ପକ୍ଷରୁ ନିର୍ଦେଶ ଜାରି ରହିଥିବା ବେଳେ, ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କପାପଦର ମଙ୍ଗଳ ବିଭାଗ ହାଇସ୍କୁଲରେ ଅଘଟଣ ଘଟିଛି | ପରୀକ୍ଷା ଦେବାକୁ ଆସି ଜଣେ ଛାତ୍ର ଆଖି ବୁଜିଛନ୍ତି | ହଷ୍ଟେଲ ଛାତରୁ ପଡ଼ି ଚାଲିଗଲା ଜୀବନ । ଏହି ଅଘଟଣ ଗତ ରାତିରେ ଘଟିଛି। ମୃତକ ହେଉଛନ୍ତି ଭରତ ବିଡିକା ।

ଭରତ ବିଡିକାଙ୍କ ଘର ବିଷମକଟକ ଥାନା ଅନ୍ତର୍ଗତ ଘଣ୍ଟିଖାଲ ଗାଁରେ ହୋଇଥିବା ବେଳେ ମାଟ୍ରିକ ପରୀକ୍ଷା ଦେବା ନିମନ୍ତେ ସେ କପାପଦର ହାଇସ୍କୁଲକୁ ଯାଇଥିଲେ। ସେଠାରେ ଥିବା ହଷ୍ଟେଲରେ ସେ ନିଜ ସାଙ୍ଗମାନଙ୍କ ସହ ରହିଥିବା ବେଳେ ଗତ ରାତି ୮ଟାରେ କୌଣସି କାରଣରୁ ହଷ୍ଟେଲ ଛାତକୁ ଯାଇଥିଲେ। ମାତ୍ର ହଠାତ୍‌ ସେ ଛାତରୁ ତଳକୁ ଖସି ପଡ଼ିଥିଲେ। ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ୧୦୮ ଆମ୍ବୁଲେନ୍ସ ଯୋଗେ ବିଷମ କଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୁଲିସ୍‌ ଓ ପରିବାର ଲୋକ ମେଡିକାଲରେ ପହଞ୍ଚିଛନ୍ତି। ଆଜି ବ୍ୟବଚ୍ଛେଦ ପରେ ଶବ ସତ୍କାର କରାଯିବ । ପୁଅର ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରିପାରୁ ନ ଥିବା ବେଳେ ସେମାନଙ୍କ ସମେତ ସ୍ଥାନୀୟ ସରପଞ୍ଚ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି |

Related Posts