
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ୟୁରୋପ ଗସ୍ତ କରୁଛନ୍ତି । ସେଠାରେ ସେ ଜର୍ମାନ୍ ଚାନ୍ସେଲର୍ ଓଲାଫ୍ ସ୍ଲୋଜ୍, ଡେନ୍ମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକ୍ସେନ୍ ଏବଂ ଫ୍ରାନ୍ସ୍ର ଇମ୍ମାନୁଏଲ୍ ମାକ୍ରୋନ୍ଙ୍କୁ ଭେଟିବେ। ସେପଟେ ଚଳିତ ବର୍ଷର ପ୍ରଥମ ବିଦେଶ ଗସ୍ତରେ ୟୁରୋପ ଯିବା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ବିବୃତି ଜାରି କରି କହିଛନ୍ତି, ୟୁରୋପୀୟ ମିତ୍ରରାଷ୍ଟ୍ରମାନଙ୍କ ସହ ସହଯୋଗିତା ସୁଦୃଢ଼ କରିବା ମୋ ଗସ୍ତର ଉଦ୍ଦେଶ୍ୟ।
ବିବୃତିରେ ସେ କହିଛନ୍ତି, ୟୁରୋପୀୟ ଅଞ୍ଚଳ ଅନେକ ଆହ୍ବାନର ସମ୍ମୁଖୀନ ହେଉଥିବା ବେଳେ ମୋର ୟୁରୋପ ଗସ୍ତ ଆରମ୍ଭ ହେଉଛି। ଶାନ୍ତି ଓ ସମୃଦ୍ଧି ଅନ୍ବେଷଣରେ ଭାରତର ପ୍ରମୁଖ ସହଯୋଗୀ ୟୁରୋପୀୟ ରାଷ୍ଟ୍ରମାନଙ୍କର ସହଯୋଗ ମନୋଭାବ ସୁଦୃଢ଼ କରିବା ହେଉଛି ମୋର ଆଲୋଚନାର ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।