୨୭ରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅପ୍ରେଲ ୨୭ ତାରିଖରେ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ସାମିଲ ହେବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ ତାଙ୍କ ମନ୍ତ୍ରଣାଳୟର ଅଧିକାରୀ ମଧ୍ୟ ଏହି ସମୀକ୍ଷା ବୈଠକରେ ସାମିଲ ହେବେ । ତେବେ ସମୀକ୍ଷା ବୈଠକ ରେ କରୋନା ସଂକ୍ରମଣକୁ ନେଇ ଆଲୋଚନା ହେବା ନେଇ ଆଶଙ୍କା କରାଯାଉଛି |

ଦେଶରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ବଢୁଥିବା ଦେଖିବାକୁ ମିଳୁଛି । ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ସ୍ଥିତି ଚିନ୍ତାଜନକ ହେବାରେ ଲାଗିଲାଣି । କୁହାଯାଉଛି ଯେ, ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଷ୍ଟର ଡୋଜ୍‌କୁ ମାଗଣାରେ ଦେବାପାଇଁ ରାଜ୍ୟଗୁଡିକୁ ଅନୁରୋଧ କରିବେ । ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍ ସମ୍ପର୍କରେ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିସାରିଛନ୍ତି । ପ୍ରଧାନମନ୍ତ୍ରୀ ପୂର୍ବରୁ ବୈଠକ କରି କରୋନା ସ୍ଥିତି ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାଧିକାରୀମାନଙ୍କ ସହ ବୈଠକ କରିସାରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୫୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୩୦ ଜଣ ପ୍ରାଣ ହରାଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୬୦ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ, ଆଜି ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୯୯୮ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫ଜଣ କ୍ୱାରେଣ୍ଟାଇନ୍‌ରୁ ଓ ୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

Related Posts