
ଇସ୍ଲାମାବାଦ : ବିଦେଶ ଯାତ୍ରା କରି ପାରିବେ ପାକିସ୍ତାନର ନୂଆ ସରକାର ପ୍ରଧାନମନ୍ତ୍ରୀ ଶହବାଜ ସରିଫ, ତାଙ୍କ ପତ୍ନୀ ଓ ଝିଆରୀ । ତେବେ ତାଙ୍କ ସମେତ କେତେକ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କ ନାମ ନୋ ଫ୍ଲାଇ ଲିଷ୍ଟରୁ ବାଦ ଦେଇଛନ୍ତି। ଶହବାଜ ସରିଫଙ୍କ ନୂଆ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛନ୍ତି। ଗତ ସପ୍ତାହରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳଙ୍କ ପ୍ରଥମ ବୈଠକରେ ଏଗଜିଟ୍ କଣ୍ଟ୍ରୋଲ ଲିଷ୍ଟ (ଇସିଏଲ) ସମୀକ୍ଷା ହୋଇଥିଲା। ଯେଉଁଥିପାଇଁ ସମ୍ପୃକ୍ତ ଲୋକଙ୍କୁ ଦେଶ ଛାଡିବାକୁ ଅନୁମତି ମିଳୁ ନଥିଲା।
ସେହି ଅନୁସାରେ ପାକ୍ ଗୃହମନ୍ତ୍ରାଳୟ ଇସିଏଲରୁ ସେହି ସବୁ ନାମକୁ ହଟାଇବାକୁ ଅଧିସୂଚନା ଜାରି କରିଛନ୍ତି ଯେଉଁମାନଙ୍କ ନାମ ବିନା କୌଣସି କାରଣରେ ଗତ ୧୨୦ ଦିନ ହେଲା ଏହି ତାଲିକାରେ ଥିଲା। ଏଥିରେ ଯେଉଁ ସବୁ ନାମକୁ ବାଦ ଦିଆଯାଇଛି ଏଥିରେ ପ୍ରଥମେ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ନାମ ଥିବା ବେଳେ ତାଙ୍କ ପତ୍ନୀ ନୂସରତ ଶହବାଜ, ଝିଆରୀ ମରିୟମ ନୱାଜ, ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ ଖାକାନ ଅବ୍ବାସୀ ତାଙ୍କ ପୁଅ ଅବଦୁଲ୍ଲା ଖାକାନ ଓ ଅର୍ଥମନ୍ତ୍ରୀ ମିଫତା ଇସ୍ମାଇଲଙ୍କ ନାମ ଏଥିରୁ ବାଦ ଦିଆଯାଇଛି।
ଗତ ଶୁକ୍ରବାର ଗୃହମନ୍ତ୍ରୀ ସନାଉଲ୍ଲାହ କହିଥିଲେ ଯେ ରାଜନୈତିକ ଆକ୍ରୋଶ ରଖି ଇସିଏଲ ସୂଚୀରେ ନେତା ଓ ତାଙ୍କ ପରିବାର ଲୋକଙ୍କ ନାମ ପକାଇ ଦିଆଯାଇଥିଲା। ସେହି ଅନୁସାରେ ଇସିଏଲ ବ୍ଲାକ ଲିଷ୍ଟରେ ୪ହଜାର ୮୬୩ଟି ନାମ ଥିବା ବେଳେ ଜାତୀୟ ଚିହ୍ନଟ ସୂଚୀରେ ୩୦ ହଜାର ଲୋକଙ୍କ ନାମ ରହିଛି। ଏଣୁ ପ୍ରାଥମିକ ପର୍ଯ୍ୟାୟରେ ସିଧାଶଳକ ୩ ହଜାର ୫୦୦ ଲୋକେ ଉପକୃତ ହେବେ ।