ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରରେ ଚାଲିଥିବା DGP କନଫରେନ୍ସକୁ ପୁଣି ଖଲିସ୍ତାନୀ ଆତଙ୍କୀ ପନ୍ନୁ ଟାର୍ଗେଟ କରଛି। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଛି ।
ଇ-ମେଲରେ ପଠାଇଥିବା ଅଡ଼ିଓ ମେସେଜରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି। ଆସନ୍ତକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଇ-ମେଲ୍ ଅଡିଓ ମେସେଜ କରି ଚେତାବନୀ ଦେଇଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଏଥିସହ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦିଆଯାଇଛି। ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷର ପୁରସ୍କାର ଘୋଷଣା କରାଯିବ ବୋଲି ଇ-ମେଲ୍ ଅଡିଓ ମେସେଜରେ ଉଲ୍ଲେଖ ରହିଛି।
ଆଜି ସକାଳ ୯ ଟା ସମୟରେ ଏହି ଧମକପୂର୍ଣ୍ଣ ଇ-ମେଲ୍ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଥିଲା। ଏନେଇ ଅକ୍ଷୟ କମିଶନରେଟ୍ ପୁଲିସକୁ ଅବଗତ କରାଇଥିଲେ ଓ ଥାନାରେ ମଧ୍ୟ ଏତଲା ଦେବେ ବୋଲି କହିଥିଲେ।
ଅନ୍ୟପକ୍ଷରେ ପନ୍ନୁ ପଠାଉଥିବା ଧମକପୂର୍ଣ୍ଣ ମେସେଜରେ ଓଡ଼ିଆରେ ଥମ୍ବନେଲ୍ ନେଇ ସନ୍ଦେହ ବଢ଼ିଛି। ଆତଙ୍କୀ ପନ୍ନୁ ପାଇଁ ଓଡ଼ିଶାରେ କିଏ କାମ କରୁଛି?ରାଜ୍ୟରେ ଖଲିସ୍ତାନୀ ଆତଙ୍କୀଙ୍କ ସ୍ଲିପର ସେଲ ଚାଲିଛି କି ? ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଛି।
ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, ଘଟଣା ସଂପର୍କରେ ପୁଲିସ କମିଶନରଙ୍କୁ ଜଣାଇଛି। ଏନେଇ ଥାନାରେ ଏତଲା ଦେବି।
ପନ୍ନୁର ଧମକ ପୂର୍ଣ୍ଣ ଇ-ମେଲ୍ ପରେ ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥା ଓ ଗୋଇନ୍ଦା ବିଭାଗକୁ ଆହୁରି ସଜାଗ ରହିବାକୁ କୁହାଯାଇଛି।