
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉତ୍ତରପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସହଯୋଗୀ ଜିତିନ ପ୍ରସାଦ ବିଜେପିରେ ଯୋଗଦେବା କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ଖୁବ୍ଶୀଘ୍ର ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ବୋଲି ବିଜେପି ନେତ୍ରୀ ରୀତା ବହୁଗୁଣା ଯୋଶୀ କହିଥିଲେ। କିନ୍ତୁ ବିଜେପି ନେତ୍ରୀଙ୍କ ଏହି ଦାବିକୁ ଆଜି ସଚିନ୍ ପାଇଲଟ ଖଣ୍ଡନ କରିଛନ୍ତି। ପାଇଲଟ କହିଛନ୍ତି, ବିଜେପି ନେତ୍ରୀ ରୀତା ବହୁଗୁଣା ଏ ବାବଦରେ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସହ କଥା ହୋଇଥିବେ, ମୋ (ସଚିନ୍ ପାଇଲଟ) ସହ ନୁହେଁ। କାରଣ ମୋ ସହିତ କଥାବାର୍ତ୍ତା କରିବାକୁ ତାଙ୍କର ସାହସ ନାହିଁ। ସୂଚନାଯୋଗ୍ୟ, କିଛି ଦିନ ତଳେ ବିଜେପି ନେତ୍ରୀ ରୀତା ବାହୁଗୁନା ଯୋଶୀ କହିଥିଲେ ଯେ, ସେ ସଚିନ ପାଇଲଟଙ୍କ ସହ କଥା ହୋଇଛନ୍ତି ଏବଂ ସେ ଖୁବଶୀଘ୍ର ବିଜେପିରେ ସାମିଲ୍ ହୋଇପାରନ୍ତି। ପୂର୍ବରୁ ଅନେକ ଥର ସଚିନ ପାଇଲଟଙ୍କ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଥିଲେ ମଧ୍ୟ ସେ ଏହାକୁ ଅସ୍ୱୀକାର କରିଛନ୍ତି। ଗତ ବର୍ଷ କଂଗ୍ରେସ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ଦେଖାଦେଇଥିବା ତିକ୍ତତା ସମାଧାନ ହୋଇଥିଲା। ସେବେଠାରୁ ପାଇଲଟଙ୍କୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରାଜସ୍ଥାନ ସରକାର କିମ୍ବା ଦଳର ସଂଗଠନରେ କ୍ଷମତା ଚାହୁଁଥିବା ବେଳେ ଅଶୋକ ଗେହଲୋଟ୍ ଏ ପର୍ଯ୍ୟନ୍ତ ଏହାର ବିରୋଧ କରିଆସୁଛନ୍ତି। ସୋମବାର ଦିନ ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ବର୍ତ୍ତମାନ 10 ମାସ ବିତିଗଲାଣି। ମୋତେ ବୁଝାଇ ଦିଆଗଲା ଯେ, କମିଟି ତରଫରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯିବ, କିନ୍ତୁ ବର୍ତ୍ତମାନ ସରକାରର ଅଧା କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ନାହିଁ।”