ସିଷ୍ଟମ୍ ଫେଲ୍ : ୧୩ ଜିଲ୍ଲାରେ ୧୩ ହଜାରରୁ ଉର୍ଦ୍ଧ୍ଵ ଖାଉଟି ଅଭିଯୋଗ ବିଚାରଧୀନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ପ୍ରଚଳିତ ଅଭିଯୋଗ ସମାଧାନ ବ୍ୟବସ୍ଥା ଫେଲ୍ ମାରିଛି। ଯୋଗଣା ବିଭାଗ ପକ୍ଷରୁ ଜିଲା ଯୋଗାଣ ଅଧିକାରୀଙ୍କୁ ୫ଟି ଚିଠି ଲେଖାଯିବା ସତ୍ତ୍ୱେ ଅଭିଯୋଗ ସଂଖ୍ୟାରେ ସେମିତି ଆଖି ଦୃଶିଆ ପରିବର୍ତ୍ତନ ଆସି ନାହିଁ। ଏହାକୁ ନେଇ ବିଭାଗୀୟ ନିର୍ଦେଶକ ବିଶ୍ୱଜିତ କେଶରୀ ଦାସ ଚିନ୍ତା ପ୍ରକଟ କରିଛନ୍ତି। ଗତ ଏପ୍ରିଲ ଶେଷ ସପ୍ତାହରେ ରାଜ୍ୟର ୨୮ ଜିଲାର ଯୋଗାଣ ଅଧିକାରୀ (ନବରଙ୍ଗପୁର ଓ କୋରାପୁଟକୁ ଛାଡି)ଙ୍କୁ ଚିଠି (ନଂ୬୨୪୪) ଲେଖି ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଜିଲାୱାରୀ ଅସମାହିତ ଅଭିଯୋଗ ପରିସଂଖ୍ୟାନ

ଜିଲା ଅଭିଯୋଗ
ବାଲେଶ୍ୱର ୧୮୫୩
ଭଦ୍ରକ ୪୩୪
ବଲାଙ୍ଗୀର ୩୭୮
କଟକ ୨୧୬୪
ଗଜପତି ୧୫୬
ଗଞ୍ଜାମ ୩୦୬୭
ଜଗତସିଂହପୁର ୪୪୬
କଳାହାଣ୍ଡି ୫୧୬
କେନ୍ଦୁଝର ୫୯୫
ଖୋର୍ଦ୍ଧା ୧୮୫୩

ଗରିବ ଖାଉଟିଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ରାଜ୍ୟ ସରକାର ଅଭିଯୋଗ ସମାଧାନ ବ୍ୟବସ୍ଥା (ଜିଆରଏସ) କରିଛନ୍ତି। ଏହି ବ୍ୟବସ୍ଥାରେ ଉଭୟ ଅନଲାଇନ ଓ ଅଫଲାଇନରେ ଅଭିଯୋଗ ଦାଖଲ ହେବ। ଖାଦ୍ୟ ସୁରକ୍ଷା ଯୋଜନାରେ ହେଉଥିବା ଅନିୟମିତତାକୁ ନେଇ ଅନେକ ଅଭିଯୋଗ ଆସିଥାଏ। କେଉଁ ହିତାଧିକାରୀଙ୍କ ନାଁ ତାଲିକାରୁ ବାଦ ପଡିଛି ତ ପୁଣି କାହାକୁ ଚାଉଳ ଓ ଗହମ ମିଳୁ ନାହିଁ। କରୋନା ସଙ୍କଟ ସମୟରେ ଅନେକଙ୍କର ଜୀବିକା ଚାଲିଯାଇଛି। ତା ସାଙ୍ଗକୁ ଲକଡାଉନ୍ ଓ ସଟଡାଉନ୍ ବୋଝ ଉପରେ ନଳିତା ବିଡା ସଦୃଶ। ତେବେ ଏହି ସମସ୍ୟାର ସମାଧାନ ପରିବର୍ତ୍ତେ ଅଭିଯୋଗ ଗୁଡିକ ଦୀର୍ଘ କାଳ ପଡିରହିଛି। ରାଜ୍ୟରେ ଅଭିଯୋଗ ସଂଖ୍ୟା ୧୩,୯୨୬ ରହିଥିବା ବେଳେ ୧୩ଟି ଜିଲାରେ କେବଳ ୧୩,୪୫୧ଟି ଅଭିଯୋଗ ବିଚାରଧୀନ ରହିଛି। ଏଥି ମଧ୍ୟରୁ ବାଲେଶ୍ୱର ଜିଲାରେ ୧୮୬୩, କଟକରେ ୨୧୬୪, ଗଞ୍ଜାମରେ ୩୦୬୭, ଖୋର୍ଦ୍ଧାରେ ୧୮୫୩, ମୟୂରଭଞ୍ଜରେ ୧୦୯୩, ନୟାଗଡରେ ୭୨୮, ଭଦ୍ରକରେ ୪୩୪, ବଲାଙ୍ଗୀରରେ ୩୭୮, ସମ୍ବଲପୁରରେ ୧୬୮, ଗଜପତିରେ ୧୫୬, ଜଗତସିଂହପୁରରେ ୪୪୬, କଳାହାଣ୍ଡିରେ ୫୧୬, କେନ୍ଦୁଝରରେ ୫୯୫ଟି ଅଭିଯୋଗ ବିଚାରଧୀନ ଅବସ୍ଥାରେ ରହିଛି।ତେବେ ଏହି ୧୩ ଜିଲ୍ଲାକୁ ବାଦ୍ ଦେଲେ ବାକି ୧୭ଟି ଜିଲା ମଧ୍ୟରୁ ନବରଙ୍ଗପୁର ଓ କେରାପୁଟ ଜିଲାରେ ଗୋଟିଏ ବି ଅଭିଯୋଗ ବିଚାରଧାନ ନାହିଁ। ବଳକା ୧୫ଟି ଜିଲାରେ ୪୭୫ଟି ଅଭିଯୋଗ ପଡ଼ିରହିଛି। ଅନୁଗୁଳରେ ୪୦, ବରଗଡରେ ୧୬, ବୌଦ୍ଧରେ ୯୬, ଦେବଗଡରେ ମାତ୍ର ୩, ଢେଙ୍କାନାଳରେ ୧୦, ଯାଜପୁରରେ ୯, ଝାରସୁଗୁଡାରେ ୧୪, କନ୍ଧମାଳନରେ ୨୦, କେନ୍ଦ୍ରାପଡାରେ ୫୧, ମାଲକାନାଗିରିରେ ମାତ୍ର ୧, ନୂଆପଡାରେ ୫, ପୁରୀରେ ୨୪, ରାୟଗଡାରେ ୮୫, ସୋନପୁରରେ ୧୬, ସୁନ୍ଦରଗଡରେ ୮୫ଟି ଅଭିଯୋଗ ବିଚାରଧୀନ ଥିବା ଜଣାପଡ଼ିଛି। ଏହି ଅଭିଯୋଗ ଗୁଡିକର ସମାଧାନ ଲାଗି ବିଭାଗୀୟ ନିର୍ଦେଶକ ଗତ ୨୦୨୦ ମାର୍ଚ୍ଚ ୮ ତାରିଖ, ନଭେମ୍ବର ୨୪ ତାରିଖ, ଡିସେମ୍ବର ୨୮ ତାରିଖ, ୨୦୨୧ ଜାନୁଆରୀ ୧୨ ତାରିଖରେ ଉକ୍ତ ଜିଲ୍ଲା ଗୁଡ଼ିକର ଯୋଗାଣ ଅଧିକାରୀମାନଙ୍କୁ ଚିଠି ଲେଖିଥିଲେ।

Related Posts