ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲୋକସଭା ନିର୍ବାଚନ ପୂର୍ବରୁ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ବିଧାୟକ ତଥା ଦଳର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ବଡ ବୋହୂ ସୀତା ସୋରେନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦୁର୍ଗା ସୋରେନଙ୍କ ପତ୍ନୀ ସୀତା ସୋରେନ ଜେଏମଏମର ବିଧାୟକ ଥିଲେ । ଆଜି ସେ ତାଙ୍କର ଇସ୍ତଫାପତ୍ର ପାର୍ଟି ମୁଖ୍ୟ ଶିବୁ ସୋରେନଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ପରିବାର ଓ ପାର୍ଟି ଉପରେ ଅଣଦେଖା ଅଭିଯୋଗ ଆଣି ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରରେ ଶିବୁ ସୋରେନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି କି, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କେନ୍ଦ୍ରୀୟ ମହାସଚିବ ଏବଂ ଦଳର ବିଧାୟକ ପଦରୁ ଦୁଃଖର ସହ ଇସ୍ତଫା ଦେଉଛନ୍ତି।
ସେ ଅଭିଯୋଗ କରିଛନ୍ତି କି ପାର୍ଟି ଓ ପରିବାର ଦ୍ୱାରା ତାଙ୍କୁ ହଇରାଣ କରାଯାଉଛି । ମୁଁ ଓ ମୋ ପରିବାର ବିରୋଧରେ ଷଡଯନ୍ତ୍ର କରାଯାଉଛି । ଏହି କାରଣରୁ ସେ ପଦ ଓ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଲେଖିଛନ୍ତି ।
ସେ ଜେଏମଏମରୁ ଇସ୍ତଫା ଦେବା ପରେ ତୁରନ୍ତ ବିଜେପିରେ ସାମିଲ ହୋଇଛନ୍ତି । ଝାଡଖଣ୍ଡ ବିଜେପିର ପ୍ରଦେଶ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ ଓ ରାଷ୍ଟ୍ରୀୟ ମହାସଚିବ ବିନୋଦ ତାବଡେଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ସୀତା ସୋରେନ।