ଭୁବନେଶ୍ୱର,୫/୮(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଭାରତରେ ପହଞ୍ଚିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ଭଉଣୀଙ୍କ ସହିତ ବାଂଲାଦେଶ ଛାଡିବା ପରେ ତ୍ରିପୁରାର ଅଗ୍ରତାଲା ଏୟାରପୋର୍ଟରେ ପହଞ୍ଚିଥିବା ସୂଚନା ମିଳିଛି । ଅଗ୍ରତାଲାରେ ପହଞ୍ଚିବା ପରେ ତାଙ୍କୁ ଦିଲ୍ଲୀ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।
ବାଂଲାଦେଶରେ ଲାଗୁ ହୋଇଛି ସାମରିକ ଶାସନ। ବାଂଲାଦେଶରେ ଚାଲିଥିବା ହିଂସା ପ୍ରଧାନମନ୍ତ୍ରୀ ଆବାସ ଯାଏ ପହଞ୍ଚିବା ପରେ ଶେଷରେ ଇସ୍ତଫା ଦେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । କେବଳ ଇସ୍ତଫା ଦେଇନାହାନ୍ତି ବରଂ ପରିବାର ସହିତ ଦେଶ ଛାଡି ଚାଲିଯାଇଥିବା କୁହାଯାଉଥିଲା । ଯାହାକି ପରେ ସ୍ପଷ୍ଟ ହୋଇଛି । ପ୍ରଥମେ ଚର୍ଚ୍ଚା ହେଉଥିଲା କି ଶେଖ ହସିନା ଇଂଲଣ୍ଡ ଚାଲିଯାଇଛନ୍ତି । କିନ୍ତୁ ବଡ ଖବର ଆସି ପହଞ୍ଚିଛି । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଭାରତକୁ ଆସିଛନ୍ତି ଶେଖ ହସିନା ।
ବାଂଲାଦେଶରେ ସେ ରହୁଥିବା ବାସଭବନରେ ଉପଦ୍ରବକାରୀମାନେ ଧସେଇ ପଶିବା ପୂର୍ବରୁ ସେ ଦେଶ ଛାଡି ଦେଇଥିଲେ ସଂରକ୍ଷଣ ପ୍ରତିବାଦରେ ସାରା ଦେଶରେ ଜାରି ରହିଛି ହିଂସା । ସରକାର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ଶହ ଶହ ଲୋକଙ୍କ ଜୀବନ ଗଲାଣି । ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୯୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।