
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୁଇ ଦେଶକୁ ଗ୍ୟାସ୍ ଓ ତୈଳ ରପ୍ତାନୀ ବନ୍ଦ କରିଦେଲା ରୁଷ । ତେବେ ରୁଷ ଓ ୟୁକ୍ରେନ ଯୁଦ୍ଧ ଭିତରେ ୟୁକ୍ରେନକୁ ଖୋଲାଖୋଲି ସହଯୋଗ କରିବା ଏବଂ ରୁଷର କଥା ନ ମାନିବା ୟୁରୋପର କିଛି ଦେଶ ନିମନ୍ତେ ମହଙ୍ଗା ପଡ଼ିବା ଦେଖାଯାଉଛି। ରୁଷ ଶକ୍ତ ପଦକ୍ଷେପ ନେଇ ପୋଲାଣ୍ଡ ଓ ବୁଲଗେରିଆକୁ ଗ୍ୟାସ୍ ଓ ତୈଳ ରପ୍ତାନି ବନ୍ଦ କରିଦେଇଛି। ରୁଷ ଠାରୁ ଏଭଳି ଜିନିଷ କିଣୁଥିବା ଦେଶମାନଙ୍କୁ ରୁବେଲରେ ଅର୍ଥ ଦେବାକୁ ଗତ ସପ୍ତାହରେ ପୁତିନ କହିଥିଲେ। ମାତ୍ର ୟୁରୋପର ଦେଶଗୁଡ଼ିକ ପୁଟିନଙ୍କ ଏହି କଥା ମାନିବାକୁ ମନା କରିଦେଇଥିଲେ।
ଏହାପରେ ପୁତିନ ଶକ୍ତ ପଦେକ୍ଷପ ନେଇ ତୈଳ ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଛି। ରୁଷର ଏଭଳି ପଦକ୍ଷେପ ସମ୍ପର୍କରେ ତୈଳ ଓ ଗ୍ୟାସ ଯୋଗାଣକାରୀ ସଂସ୍ଥା ଗଜପ୍ରୋମ ଶକ୍ତି କମ୍ପାନୀ ଜଣାଇଥିବା ପୋଲାଣ୍ଡ ଓ ବୁଲଗେରିଆ ପକ୍ଷରୁ କୁହାଯାଇଛି। ପୋଲାଣ୍ଡର ଗ୍ୟାସ୍ କମ୍ପାନୀ ପିଜିଏନଆଇଜି ଜଣାଇଛି, ୟମଲ-ୟୁରୋପ ପାଇପ୍ ଲାଇନ୍ ଜରିଆରେ ହେଉଥିବା ଗ୍ୟାସ୍ ଯୋଗାଣକୁ ରୁଷ ବନ୍ଦ କରିଦେଇଛି। ସେହିପରି ବୁଲଗେରିଆ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ତୁର୍କିଷ୍ଟ୍ରିମ ପାଇପଲାଇନ ଜରିଆରେ ବୁଲଗେରିଆ ଆସୁଥିବା ଗ୍ୟାସ ଯୋଗାଣକୁ ବନ୍ଦ କରିଦିଆଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।