ଆରପାରିରେ ବିଶିଷ୍ଟ ସାମ୍ବାଦିକ ରୋହିତ୍ ସର୍ଦ୍ଦାନା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରସିଦ୍ଧ ଟିଭି ପତ୍ରକାର ତଥା ଖବର ଉପସ୍ଥାପକ ରୋହିତ ସର୍ଦ୍ଦାନାଙ୍କ କରୋନାରେ ଦେହାନ୍ତ ହୋଇଛି। ରୋହିତଙ୍କ ମୃତ୍ୟୁ ନେଇ ଜି ନ୍ୟୁଜ୍ ର ଏଡିଟର ଇନ୍ ଚିଫ୍ ତଥା ସିଇଓ ସୁଧୀର ଚୌଧୁରୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ସୁଧୀର ଚୌଧୁରୀ ଟ୍ୱିଟ୍ କରି କହିଛନ୍ତି, ‘କିଛି ସମୟ ପୂର୍ବରୁ ଜିତେନ୍ଦ୍ର ଶର୍ମାଙ୍କ ଏକ କଲ ଆସିଥିଲା। ସେ ଯାହା କହିଲେ, ତାହା ଶୁଣି ମୋ ହାତ ଥରି ଉଠିଲା। ଆମର ବନ୍ଧୁ ତଥା ସହକର୍ମୀ ରୋହିତ ସର୍ଦ୍ଦାନାଙ୍କ ମୃତ୍ୟୁ ଖବର ଆସିଥିଲା। ମୁଁ କଳ୍ପନା କରି ନ ଥିଲି ଯେ ଏହି ଭାଇରସ୍ ଆମ ନିକଟରୁ କାହାକୁ ଛଡେଇ ନେବ। ମୁଁ ଏଥିପାଇଁ ପ୍ରସ୍ତୁତ ନଥିଲି। ଏହା ହେଉଛି ଇଶ୍ବରଙ୍କ ଅନ୍ୟାୟ…। ॐ ଶାନ୍ତି।’

ଏପ୍ରିଲ୍ 24 ରେ, ରୋହିତ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ ଯେ ,ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ହୃଦଘାତରେ ମଧ୍ଯ ପୀଡିତ ଥିଲେ। ଆଜି ସକାଳେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଥିବା ଜଣାପଡିଛି। ଦୀର୍ଘ ଦିନ ଧରି ଜି ନ୍ୟୁଜରେ ଆଙ୍କର୍ ଥିବା ରୋହିତ ସର୍ଦ୍ଦାନା ଆଜି ପର୍ଯ୍ୟନ୍ତ ନ୍ୟୁଜ୍ ଚ୍ୟାନେଲରେ ଆଙ୍କର୍ ଭାବରେ କାର୍ଯ୍ୟ କରୁଥିଲେ। ଦୀର୍ଘ ଦିନ ଧରି ଟିଭି ମିଡିଆରେ ପତ୍ରକାରିତା କରି ଆସୁଥିବା ରୋହିତ ସର୍ଦ୍ଦାନା ‘ଆଜ ତକ’ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ କାର୍ଯକ୍ରମ ‘ଦଙ୍ଗଲ’ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। 2018 ରେ ରୋହିତ ସର୍ଦ୍ଦାନାଙ୍କୁ ଗଣେଶ ଶଙ୍କର ବିଦ୍ୟାଧର ପୁରସ୍କାର ପ୍ରଦାନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ମଧ୍ୟ ରୋହିତ ସର୍ଦ୍ଦାରଙ୍କ ମୃତ୍ୟୁ ସମ୍ପର୍କରେ ଟୁଇଟରରେ ସୂଚନା ଦେଇଛନ୍ତି।

ଟ୍ୱିଟରରେ ଶ୍ରଦ୍ଧାଞ୍ଜଳି ଦେଇ ସେ କହିଛନ୍ତି, ‘ବନ୍ଧୁଗଣ, ଏହା ଅତ୍ୟନ୍ତ ଦୁଃଖଦ ଖବର। ପ୍ରସିଦ୍ଧ ଟିଭି ନ୍ୟୁଜ୍ ଆଙ୍କର୍ ରୋହିତ ସର୍ଦ୍ଦାନଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ ତାଙ୍କର ହୃଦଘାତ ହୋଇଛି। ତାଙ୍କ ପରିବାର ପ୍ରତି ଗଭୀର ସମବେଦନା। ‘ ତାଙ୍କ ମୃତ୍ୟୁରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି।

Related Posts