ଡିସେମ୍ବର ୧୭ରୁ ରତ୍ନଭଣ୍ଡାର ମରାମତି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଡିସେମ୍ବର ୧୭ରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି। ୧୬ ତାରିଖରେ ସଂକ୍ରାନ୍ତି ପଡ଼ୁଥିବାରୁ ଛତିଶାନିଯୋଗ ପରାମର୍ଶକ୍ରମେ ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ୩ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି ।

ସୋମବାର ଛତିଶାନିଯୋଗ ବୈଠକରେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା ହୋଇଥିଲା। ରତ୍ନଭଣ୍ଡାରର ମରାମତି ସମ୍ପର୍କରେ ଏଏସ୍‌ଆଇ ଛତିଶାନିଯୋଗ ବୈଠକରେ ବିସ୍ତୃତ ସୂଚନା ପ୍ରଦାନ କରିଛି। ବୈଠକ ପରେ ଡ. ପାଢ଼ୀ କହିଛନ୍ତି, ଆଜି ରତ୍ନଭଣ୍ଡାର ମରାମତି ସମ୍ପର୍କରେ ଛତିଶାନିଯୋଗ ବୈଠକରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଏଏସ୍‌ଆଇ ଅଧୀକ୍ଷକଙ୍କ ସମେତ ସ୍ଥାନୀୟ ଅଧିକାରୀ ଉପସ୍ଥିତ ଥିଲେ। ନୀତି ଶୃଙ୍ଖଳା ପାଇଁ କମାଣ୍ଡର ଓ ନୀତି ପ୍ରଶାସକଙ୍କୁ ନେଇ ଦୁଇଜଣିଆ କମିଟି ଗଠନ କରାଯାଇଥିଲା। ଆଜି ଏହି କମିଟି ନୀତି ସଂପାଦନ ସଂପର୍କିତ ସୂଚନା ପ୍ରଦାନ କରିଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନକୁ ପ୍ରଭାବିତ ନ କରି ରତ୍ନଭଣ୍ଡାର ମରାମତି କାମ କରାଯିବ। ୧୭ ତାରିଖରୁ ଦ୍ବିତୀୟ ଭୋଗମଣ୍ଡପ ଶେଷ ପରେ ମରାମତି କାମ ଆରମ୍ଭ ହେବ।

ମରାମତି ସମୟରେ କୌଣସି ନୀତି ହେବନାହିଁ। ଯେହେତୁ ପହିଲି ଭୋଗ ନୀତି ଚାଲିବ, ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍ଣ ୧ଟା ଭିତରେ ଦ୍ବିତୀୟ ଭୋଗମଣ୍ଡପ ଶେଷ ସହ ଭୋଗ ଉଠି ସାରିଥିବ। ଏଣୁ ଏହା ପରେ ପରେ ମରାମତି ପାଇଁ ଏଏସ୍‌ଆଇ ଦଳ ରତ୍ନଭଣ୍ଡାରରେ ପ୍ରବେଶ କରିବେ। ପ୍ରତିଦିନ ପ୍ରାୟ ୫ ଘଣ୍ଟା ମରାମତି କାମ ଚାଲିବ। କିନ୍ତୁ ଶନିବାର ଓ ରବିବାର, ଇଂରାଜୀ ନବବର୍ଷ, ୩୧ ଡିସେମ୍ବର ଭଳି ଦିନରେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି, ସେଦିନ ମରାମତି କାମ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଯେଉଁଦିନ ମରାମତି ହେବ, ସେଦିନ ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ ହେବ। ବିଶେଷ ନୀତି ଥିବା ଦିନରେ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ। ଏ ସଂପର୍କରେ ପୂର୍ବ ସୂଚନା ପ୍ରଦାନ କରାଯିବ। ମରାମତି ସରିବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ। ପରେ ଗଣତି ଓ ମଣିତ ହେବ। ଶ୍ରୀମନ୍ଦିରର ସ୍ଥାୟିତ୍ବକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାର ମରାମତି କରିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ସମସ୍ତ ସହଯୋଗ ଯୋଗାଇଦେବ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକ ଅନୁସାରେ କେଉଁ ଅଧିକୃତ ବ୍ୟକ୍ତି ମରାମତି ବେଳେ ରହିପାରିବେ, ତାହା ନିଷ୍ପତ୍ତି ହେବ। ସେବାୟତ, କାମ କରିବାକୁ ଥିବା କର୍ମଚାରୀ, ଯନ୍ତ୍ରୀ, ସମସ୍ତଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ହେଲ୍‌ମେଟ୍‌, ଗ୍ଲୋବ୍‌ସ ଆଦି ନିରାପତ୍ତା କିଟ୍‌ ପିନ୍ଧି ସମସ୍ତେ ମରାମତି ପାଇଁ ଯିବେ ବୋଲି ଡ. ପାଢ଼ୀ କହିଛନ୍ତି।

ଏଏସ୍‌ଆଇ ଅଧୀକ୍ଷକ ଡ. ଡି ବି ଗଡ଼ନାୟକ କହିଛନ୍ତି, ନୀତି ନିର୍ଘଣ୍ଟକୁ ଦେଖି ଆମେ ମରାମତି କାମ କରିବୁ। ରତ୍ନଭଣ୍ଡାରର ଦୁଇପଟ କାନ୍ଥରେ ଭର୍ଟିକାଲ୍‌ ଫାଟ ରହିଛି। ବିଭିନ୍ନ ସ୍ଥାନରେ ମୂଷା ଗାତ ରହିଛି। ଫାଟ ସ୍ଥାନରୁ ପ୍ଲାଷ୍ଟର ଛଡ଼ାଯିବ। କିଛି ଲୁହା ବି କଳଙ୍କି ଲାଗି ଯାଇଛି, ତାକୁ କଢ଼ାଯିବ। ପରେ ମରାମତି କାମ ଆରମ୍ଭ ହେବ ବୋଲି ଡ. ଗଡ଼ନାୟକ କହିଛନ୍ତି।

Related Posts