
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମୁକାବିଲାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ହମଲା କରିଛନ୍ତି ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କ ସମେତ କଂଗ୍ରେସର ଆଉ ଦୁଇଜଣ ବରିଷ୍ଠ ନେତା ପି ଚିଦାମ୍ବରମ୍ ଏବଂ ଜୟରାମ ରମେଶ ମଧ୍ୟ କୋଭିଡ୍ ପରଚାଳନାକୁ ନେଇ ମୋଦୀ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ଟିକା ଅଭାବ ଠାରୁ ଆରମ୍ଭ କରି ବ୍ଲାକ୍ ଫଙ୍ଗସ୍ ଏବଂ ମୋଦୀଙ୍କ ଭାବପ୍ରବଣ କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା ମାନେ। ଟୁଇଟରରେ ଏକ ଚାର୍ଟ ସେୟାର କରିଛନ୍ତି। ଏହି ଚାର୍ଟରେ ପ୍ରତି ଏକ ମିଲିୟନରେ କୋଭିଡ ମୃତ୍ୟୁ ହାର ଏବଂ ଏସିଆ ମହାଦେଶର ଦେଶ ଗୁଡିକର ଜିଡିପି ଅଭିବୃଦ୍ଧି ବିଷୟରେ ଉଲ୍ଲେଖ କରାଯାଇଛି। ଏହି ତାଲିକାରେ ଭାରତ ସବଠାରୁ ତଳେ ରହିଛି।
ରାହୁଲ ଗାନ୍ଧୀ ଏହି ଚାର୍ଟ ସେୟାର କରି ଲେଖିଛନ୍ତି ଯେ, ” ଦେଶରେ ଟିକା ନାହିଁ , ଜିଡିପି ଏବେ ସର୍ବନିମ୍ନ ସ୍ତରରେ, କୋଭିଡ୍ ମୃତ୍ୟୁ ସଂଖ୍ୟା ଶିଖରରେ ପହଞ୍ଚିଛି। କିନ୍ତୁ ଭାରତ ସରକାରଙ୍କ ପ୍ରତିକ୍ରିୟା ହେଉଛି ପ୍ରଧାନମନ୍ତ୍ରୀ ମୋଦୀ କାନ୍ଦୁଛନ୍ତି। ରାହୁଲ ଗାନ୍ଧୀଙ୍କ ସେୟାର କରିଥିବା ଏହି ଚାର୍ଟରେ ଭାରତର ଜିଡିପି ଅଭିବୃଦ୍ଧି ଏବଂ ପ୍ରତି ୧୦ଲକ୍ଷ ଲୋକରେ କୋଭିଡ୍ ମୃତ୍ୟୁ ହାର ଉଭୟ କ୍ଷେତ୍ରରେ ଭାରତ ତଳେ ରହିଛି। ଭୁଟାନ, ନେପାଳ ଏବଂ ପାକିସ୍ତାନ ଭଳି ଦେଶ ଠାରୁ ବି ଭାରତ ତଳେ ରହିଛି। ଏହାପୂର୍ବରୁ ବାରାଣାସୀରେ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାବପ୍ରବଣ ହେବାକୁ ନେଇ ରାହୁଲ୍ ଗାନ୍ଧୀ କହିଥିଲେ ଯେ, ” କୁମ୍ଭୀର ନିର୍ଦ୍ଦୋଷ” ।
ଏହାସହ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାବପ୍ରବଣ ହେବାକୁ ନେଇ ଟାର୍ଗେଟ କରିଛନ୍ତି। ଜୟରାମ ରମେଶ ଟ୍ୱିଟରରେ ଲେଖିଛନ୍ତି , ” ୨୦୨୧ ଜାନୁୟାରୀ ମାସରେ ସରକାର ଦାବି କରିଥିଲେ ଯେ ଜୁଲାଇ ଶେଷ ସୁଦ୍ଧା ୩୦୦ ନିୟୁତ ଲୋକଙ୍କୁ ଟୀକାକରଣ କରାଯିବ, କିନ୍ତୁ ମେ ୨୨ର ବାସ୍ତବତା ସୂଚାଇ ଦେଉଛି ଯେ କେବଳ ୪.୧ କୋଟି ଲୋକ ଟିକାର ଉଭୟ ଡୋଜ ନେଇଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ମେ ୨୧ ରେ କେନ୍ଦ୍ର ସରକାର ଦାବି କରୁଛନ୍ତି ଯେ ବର୍ଷ ଶେଷ ସୁଦ୍ଧା ସମସ୍ତ ଦେଶବାସୀଙ୍କୁ କରୋନା ଟିକା ଦିଆଯିବ, କିନ୍ତୁ ସତ୍ୟତା ହେଉଛି ଯେ ମେ ୨୧ ରେ ଦୈନିକ ମାତ୍ର ୧୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଥିଲା।
ଜୟରାମ ରମେଶ କହିଛନ୍ତି ଯେ, ଦେଶ ପାଇଁ ଏବେ ଲୁହ ନୁହେଁ ଟିକାର ଆବଶ୍ୟକତା ଅଛି। ” ଅପରପକ୍ଷରେ ଦଳର ବରିଷ୍ଠ ନେତା ପି ଚିଦାମ୍ବରମ୍ କହିଛନ୍ତି ଯେ ଟୀକାକରଣର ସିଥିଳତା କୁ ନେଇ IMF ଏବଂ WHO ଭାରତକୁ ଚେତାବନୀ ଦେଇଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଯଦି ଟୀକାକରଣ ଗତିକୁ ବୃଦ୍ଧି କରାନଯାଏ ତେବେ ଭାରତରେ କରୋନାର ତୃତୀୟ ଲହର ଆସିବା ସୁନିଶ୍ଚିତ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ୍ ସ୍ଥିତି ସମୀକ୍ଷା କରିବା ପରେ ଶୁକ୍ରବାର ଦିନ କହିଥିଲେ ଯେ ଭାରତ ୨୦୨୧ ଶେଷ ସୁଦ୍ଧା ଦେଶର ସମସ୍ତ ବୟସ୍କ ଲୋକଙ୍କୁ ଟୀକାକରଣ କରିବ। ସେ କହିଥିଲେ ଯେ, “୨୦୨୧ ଅଗଷ୍ଟ ମାସରୁ ଡିସେମ୍ବର ମଧ୍ୟରେ ଭାରତ ୨୧୬ କୋଟି ଟିକା କିଣିବ ଏବଂ ଚଳିତ ବର୍ଷ ଜୁଲାଇ ସୁଦ୍ଧା ୫୧ କୋଟି ଡୋଜ କିଣାଯିବ। “