
ସତ୍ୟପାଠ ବ୍ୟୁରୋ : ପାଟଣାଗଡ ବିଧାୟକ ସରୋଜ ମେହେର ରାସ୍ତା କାମରେ ଦୁର୍ନୀତି ହେଉଥିବା ଅଭିଯୋଗରେ ଜଣେ ସରକାରୀ ଅଧିକାରୀଙ୍କୁ ଧମକାଇଲେ । ରାସ୍ତା ଉପରେ ବସଉଠ କରେଇଲେ । ବସଉଠ ନହେଲେ ଲୋକେ ପିଟିବେ କହି ଡରେଇଲେ । ମାଡ ଭୟର ସଂପୃକ୍ତ ଜେଇ କାନଧରି ବସଉଠ ହେଲା । ଏ ସମୟର ଭିଡିଓ ଭାଇରାଲ ହେବା ପରେ ନିଜ ଭୁଲ ବୁଝିପାରି କ୍ଷମା ମାଗିଲେ ବିଧାୟକ । ମାନେ ମିଡିଆ ଡାକି ନିଜ ଭୁଲ ସ୍ୱୀକାର କଲେ । ଜୋସରେ ହୋସ ହରାଇଥିବା ମାନିଲେ । ତଥାପି ତାଙ୍କ ନାଁରେ ମାମଲା ରୁଜୁ ହେଲା ଆଉ ଜେଲ ଗଲେ ବିଧାୟକ ।
କିନ୍ତୁ ଜଣେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସର୍ବ ସମ୍ମୁଖରେ ଧକ୍କା ମାରିଲେ କେନ୍ଦ୍ରାପଡା ଏସପି ନୀତିଶେଖର । କଲର ଧରି ଠେଲିଲେ । ଚାପୁଡା ମାରିବାକୁ ହାତ ଉଠାଇଲେ । ଭିଡିଓ ଭାଇରାଲ ହେବା ପରେ ଏ ବାବୁ ବି ଏକ ହ୍ୱାଟସଆପ ଗୃପରେ ଆପୋଲୋଜି ମେସେଜ୍ ଟିଏ ଲେଖିଦେଇ ଚୁପ ରହିଗଲେ । ମେସେଜରେ ଲେଖିଲେ ସେମିତି କିଛି ହୋଇନି କି ତଥାପି ମୁଁ ଦୁଃଖିତ । ଘଟଣାକୁ ଏହା ଭିତରେ ୩୦ଘଣ୍ଟାରୁ ଅଧିକ ସମୟ ବିତିଗଲାଣି । ତଥାପି ତାଙ୍କର ବାଳଟିଏ ବି ବଙ୍କା ହୋଇନି ।
ଏ ଘଟଣା ଗଲାକାଲି ଦିନ ୧୦ଟାର । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଳାଇବା ବେଳେ ଭିଡ ନିୟନ୍ତ୍ରଣ କରିବାକୁ ଯାଇ ସାମ୍ବାଦିକ ଅଜେଶଙ୍କୁ ତିନି ଥର ଧକ୍କା ମାରିଥିଲେ ଏସପି । ସାମ୍ବାଦିକ ଜଣକ ନିଜ ହାତରେ ଚାନେଲର ବୁମ୍ ଧରିଥିବା ଦେଖିକି ବି ଚିହିଁକି ଆସୁଥିଲେ ଆଇପିଏସ ନୀତିଶେଖର । ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ଆଲୋଡନ । ବିଧାନସଭା ବି ହୁଲସ୍ତୁଲ । ଖୋଦ କେନ୍ଦ୍ରାପଡାର ସାମ୍ବାଦିକ ମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ । ରାଜ୍ୟ ସାରାର ସାମ୍ବାଦିକ ପ୍ରତିକ୍ରିୟା ରଖିଲେ । କିନ୍ତୁ ଏ ବାବଦରେ ଏଯାଏ ମୁହଁ ଖୋଲୁ ନାହାଁନ୍ତି ଏସପି କି ମୁହଁ ଖୋଲୁ ନାହାଁନ୍ତି ସରକାର । ଭିଡିଓ ଦେଖି ଅନୁଧ୍ୟାନ କରିବି କହି ଧାଡିକିଆ ଉତ୍ତର ରଖି ନିଜ କାନ୍ଧରୁ ଦାୟିତ୍ୱ ଖସାଇ ଦେଇଛନ୍ତି ପୁଲିସ ଡିଜି ।