
ଭାରତୀୟ ସୁରକ୍ଷା ବାହିନୀଙ୍କ ପକ୍ଷରୁ ଆତଙ୍କବାଦ ବିରୋଧରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଫଳରେ ଏବେ ଆତଙ୍କବାଦୀ ମାନେ ନୂଆ ରାସ୍ତା ବାହାର କରିଛନ୍ତି । ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍ଆଇଏକୁ ମିଳିଥିବା ସୂଚନା ଅନୁସାରେ, ଜମ୍ମୁ କଶ୍ମୀରରେ ନୂତନ ଭାବରେ ନିଯୁକ୍ତ ଆତଙ୍କବାଦୀମାନେ ପାକିସ୍ତାନରେ ଚାଲୁଥିବା ଆତଙ୍କବାଦୀଙ୍କ ତାଲିମ କେନ୍ଦ୍ରରେ ପହଞ୍ଚିବା ପାଇଁ ନୂଆ ରାସ୍ତା ଖୋଜିଛନ୍ତି ।
ଆତଙ୍କବାଦୀମାନେ ବୈଧ ପ୍ରମାଣ ପତ୍ର ନେଇ ଓ୍ଵାଘା ବର୍ଡର ଦେଇ ଆତଙ୍କବାଦୀ ତାଲିମ କେନ୍ଦ୍ରରେ ପହଂଚୁଛନ୍ତି । ଜମ୍ମୁ କଶ୍ମୀରର ନଗୋତ୍ରାସ୍ଥିତ ସେନାର ଏକ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣର ତଦନ୍ତ ପରେ ଏନ୍ଆଇଏକୁ ଏହି ସୂଚନା ମିଳିଛି ।
ଏନ୍ଆଇଏକୁ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀମାନେ କାଶ୍ମୀର ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ସୁପାରିଶ ହୋଇଥିବା ପାକିସ୍ତାନୀ ଭିସା ମାଧ୍ୟମରେ ଓ୍ଵାଘା ବର୍ଡର ଦେଇ ଭାରତରେ ପ୍ରବେଶ କରୁଛନ୍ତି । ୪ ଜଣ ଜୈସ୍-ଏ-ମହମ୍ମଦର ଆତଙ୍କବାଦୀ ମହମ୍ମଦ ଆସିକ୍ ବାବା, ସୟଦ ମୁନୀର-ଉଲ-ହାସନ କାଦରି, ତରିକ ଅହମଦ ଡର ଓ ଆଶ୍ରଫ ହମିଦ ଖାଣ୍ଡେ ଏବେ ଜମ୍ମୁରେ ରହୁଥିବା ସୂଚନା ପାଇଛି ଏନ୍ଆଇଏ ।
ଆସିକ୍ ବାବା ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀର ଶିବିରରେ ପ୍ରଶିକ୍ଷଣ ନେଇଥିଲା। ମହମ୍ମଦ ଆସିକ୍ ବାବା ବହୁ ଥର ଓ୍ଵାଘା ସୀମା ଦେଇ ପାକିସ୍ତାନ ଯିବା ଆସିବା କରିଛି । ସେଠାରେ ରହୁଥିବା ସମୟରେ ସେ ରାଓ୍ଵଲପିଣ୍ଡିରେ ଜୈସ୍-ଏ-ମହମ୍ମଦର ଶିବିରକୁ ଯାଇଛି । ଶ୍ରୀନଗରସ୍ଥିତ ହୁରିୟତ କନଫରେନ୍ସ ଦ୍ୱାରା ସୁପାରିଶ ହୋଇଥିବା ଭିସା ମାଧ୍ୟମରେ ଆସିକ୍ ବାବା କଶ୍ମୀର ଆସିଛି ବୋଲି ଏନ୍ଆଇଏର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।