୧୬ଟି ସର୍ତ୍ତ ସହିତ ଆଜି ଔରଙ୍ଗାବାଦରେ ବୈଠକ କରିବେ ଏମଏନଏସ ମୁଖ୍ୟ ରାଜ ଠାକରେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ଲାଉଡ ସ୍ପିକରକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଆଜି ସନ୍ଧ୍ୟାରେ ଔରଙ୍ଗାବାଦରେ ଏକ ସାଧାରଣ ସଭା କରିବାକୁ ଯାଉଛନ୍ତି । ତାଙ୍କର ଏହି ସଭା ଉପରେ ସମସ୍ତଙ୍କର ନଜର ରହିଛି । ସେପଟେ ୧୬ ଟି ସର୍ତ୍ତ ସହିତ ବୈଠକ ପାଇଁ ଅନୁମତି ପାଇଥିବା ରାଜ ଠାକରେ କ’ଣ କହିବେ? ଏବଂ ରାଜ ଠାକରେ କାହାକୁ ଟାର୍ଗେଟ କରିବେ ସେ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ମସଜିଦରୁ ଲାଉଡ ସ୍ପିକର ହଟାଇବା ପ୍ରସଙ୍ଗ ଉଠାଇ ରାଜ ଠାକରେ ଚର୍ଚ୍ଚାରେ ରହିଥିଲେ । ଏହା ପରେ ରାଜ୍ୟ ସରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତାରେ ଅଛନ୍ତି । ତେଣୁ ୧୬ ଟି ସର୍ତ୍ତ ସହିତ ରାଜ ଠାକରେଙ୍କୁ ବୈଠକ କରିବାକୁ ସରକାର ଅନୁମୋଦନ କରିଛନ୍ତି।

ଏହି ସର୍ତ୍ତଗୁଡିକରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ମିତ ଷ୍ଟାଣ୍ଡାର୍ଡ ଅନୁଯାୟୀ ୧୫,୦୦୦ ରୁ ଅଧିକ ଲୋକଙ୍କୁ ଡାକିବା ଏବଂ ଲାଉଡ ସ୍ପିକରର ଧ୍ୱନି ରଖିବା ଏବଂ କୌଣସି ପ୍ରକାରର ପ୍ରଦାହଜନକ ଭାଷଣ ନଦେବା ଅନ୍ତର୍ଭୁକ୍ତ ରହିଛି । ହେଲେ ଏଇଠି ପ୍ରଶ୍ନ ଉଠୁଛି ଯେ ରାଜ ଠାକରେ ଏହି ସର୍ତ୍ତଗୁଡିକ ଗ୍ରହଣ କରିବେ କି? ଏହି ଆଶଙ୍କା ମଧ୍ୟରେ ଔରଙ୍ଗାବାଦ ପ୍ରଶାସନ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରିଛି। ସଭାସ୍ଥଳ ନିକଟରେ ୨୦୦୦ ପୋଲିସ କର୍ମଚାରୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଭାକୁ ଆସୁଥିବା ଏବଂ ଯାଉଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି। ଜିଲ୍ଲାର ଏସପି ନିଜେ ଘଟଣାସ୍ଥଳରେ ରହି ପରିସ୍ଥିତି ଉପରେ ନଜର ରଖିବେ ବୋଲି ସୂଚନା ମିଳିଛି । ନିଜର ବୟାନକୁ ନେଇ ବାରମ୍ବାର ଲାଇମଲାଇଟକୁ ଆସୁଥିବା ରାଜ ଠାକରେ ଆଜି ସଭାରେ କଣ ଉଦବୋଧନ ଦେଉଛନ୍ତି ତାହା ଉପରେ ସାରା ଦେଶର ନଜର ରହିଛି ।

Related Posts