
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ପ୍ରଥମେ ସମର୍ଥନ ଏବେ ବାହାନା । ଆସନ୍ତାକାଲିର ଭାରତ ବନ୍ଦ ଡାକରାକୁ ପ୍ରଥମେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମର୍ଥନ କରିଥିବା ବେଳେ ଏବେ କଥା ବୁଲାଇଛନ୍ତି । ହିନ୍ଦ୍ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ଭାବେ ବନ୍ଦକୁ ସମର୍ଥନ କରିଥିବା କହିଛନ୍ତି ରାଜା । କିନ୍ତୁ ବିଜୁ ଜନତା ଦଳର ଆଭିମୁଖ୍ୟ ସହ ତାଙ୍କ ମନ୍ତବ୍ୟର ସଂପର୍କ ନଥିବା ସ୍ପଷ୍ଟୀକରଣ ଦେଇଛନ୍ତି ମନ୍ତ୍ରୀ । ଏହା ସହ ବିଜେଡିର ଆଭିମୁଖ୍ୟ କ’ଣ ହେବ, ସେ ନିଷ୍ପତ୍ତି ସୁପ୍ରିମୋଙ୍କର ବୋଲି କହିଛନ୍ତି ରାଜା ।
କୁହାଯାଉଛି ଭାରତ ବନ୍ଦକୁ ରାଜାଙ୍କ ସମର୍ଥନ ନେଇ ବିଜେଡିକୁ ବିଜେପିର ନାଲିଆଖି ପରେ ମତ ବଦଳାଇଛନ୍ତି ରାଜା ସ୍ବାଇଁ । ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସିଧା ସିଧା କହିଥିଲେ ଯେ ବନ୍ଦକୁ ଯଦି ବିଜେଡି ନୈତିକ ସମର୍ଥନ ଦେବ ତେବେ ବିଜେଡି ଐତିହାସିକ ଭୁଲ କରିବ । କାରଣ ସଂସଦର ଉଭୟ ଗୃହରେ ବିଜେଡିର ସାଂସଦମାନେ ଦେଶର ହିତ ଏବଂ ରାଷ୍ଟ୍ରର ସୁରକ୍ଷା ଦୃଷ୍ଟିରୁ CAAକୁ ସମର୍ଥନ କରିଥିଲେ। ଏବେ ବନ୍ଦକୁ ନୈତିକ ସମର୍ଥନ ଦେଲେ ଏହା ବିଜେଡିର ଦୋମୁହଁ ନୀତି ବୋଲି କୁହାଯିବ। ଦୋମୁହଁ ନୀତି ଅବଲମ୍ବନ କରୁଥିବା ରାଜନୈତିକ ଦଳ ନିନ୍ଦିତ ହୁଏନ୍ତି । ତେଣୁ ବିଜେଡି ବନ୍ଦଠାରୁ ନିଜକୁ ଦୂରେଇ ରଖିବା ଉଚିତ ବୋଲି କହିଥିଲେ ପୃଥ୍ବୀରାଜ ।
ବିଜେପିର ପରୋକ୍ଷରେ ବିଜେଡିକୁ ନାଲିଆଖି ପରେ ବଦଳିଛି ରାଜାଙ୍କ ମିଜାଜ । ତେଣୁ ଏହା ହିନ୍ଦ୍ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ଭାବେ ସେ ଏଭଳି କହିଥିବା ଟ୍ବିଟ୍ କରି ନିଜର ମତ ବଦଳାଇଛନ୍ତି । ତେଣୁ ଏଠାରେ ପ୍ରଶ୍ନ ଉଠୁଛି କାହା ଚାପରେ ମତ ବଦଳାଇଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ରାଜା ବିଜେପିର ତାଗିଦ ପରେ ବଦଳିଲେ ନା ତାଙ୍କୁ ବିଜେଡି ସୁପ୍ରିମୋ ତାଗଦ କଲେ । ଏହାକୁ ନେଇ ରାଜନୀତି ମହଲେ ଏବେ ଚର୍ଚ୍ଚା ଜୋର ଧରିଛି ।