ଆଦିବାସୀ ଓ କୃଷକଙ୍କ ଜୀବିକା ରକ୍ଷା ସହ ଖଣି-ଖାଦାନର ଘରୋଇକରଣ ବନ୍ଦ କରୁ ମାଝୀ ସରକାର – ସଂଯୁକ୍ତ କିଷାନ ମୋର୍ଚ୍ଚା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଦିବାସୀ-ଚାଷୀଙ୍କ ଜୀବନ ଜୀବିକା ରକ୍ଷା କର | ଖଣିର ଘରୋଇକରଣ ବନ୍ଦ୍ କର | ଚାଷୀଙ୍କ ଜମି ଆଉ କର୍ପୋରେଟ ହାଉସ ହାତକୁ ଟେକିଦିଅ ନାହିଁ | ଓଡ଼ିଶାରେ ନୂଆ କରି ଆସିଥିବା ବିଜେପିର ମୋହନ ମାଝୀ ସରକାର ନିକଟରେ ଏଭଳି ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା |

ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଓଡିଶାର କାଲାହାଣ୍ଡି ଏବଂ ରାୟାଗଡା ଜିଲ୍ଲାରେ ଥିବା ବକ୍ସାଇଟ୍ ସମେତ ଅନ୍ୟାନ୍ୟ ଖଣିଜ ପଦାର୍ଥ ସମୃଦ୍ଧ ସିଜିମାଳି, କୁଟ୍ରୁମାଳି, ମଞ୍ଜେନମାଳି ଏବଂ ଖଣ୍ଡୁଆଲମାଳି ପାହାଡ଼କୁ ଆଦାନୀ, ବେଦାନ୍ତ ଏବଂ L&T ଭଳି ବଡ଼ ବଡ଼ କର୍ପୋରେଟ୍ ହାଉସକୁ ଟେକି ଦେବାକୁ ରାଜ୍ୟର ବିଜେପି ସରକାର ସମର୍ଥନ କରୁଛି । ଏହା ଦ୍ୱାରା ହଜାର ହଜାର କୃଷକ ଓ ଆଦିବାସୀଙ୍କୁ ଜବରଦସ୍ତ ଉଚ୍ଛେଦ କରିବାର ଆଶଙ୍କା ରହିଛି | ଏହି ଅଂଚଳର ପାଖାପାଖି 50 ହଜାର ଚାଷୀ ପରିବାର ଏବେ ନିଜ ଚାଷ ଜମି, ଜଙ୍ଗଲ, ନଦୀକୁ କର୍ପୋରେଟ ହାଉସ କବଳରୁ ରକ୍ଷା କରିବା ପାଇଁ ସଂଘର୍ଷ କରୁଛନ୍ତି | ଏହାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସମର୍ଥନ ଜଣାଯାଇଛି |

କାଶୀପୁର ଏବଂ ନିୟମଗିରି ରେଞ୍ଜ ଭୌଗୋଳିକ ଦୃଷ୍ଟିରୁ ପରସ୍ପର ନିକଟରେ ଅବସ୍ଥିତ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିୟମଗିରିରେ ଖଣି ଖନନ ଉପରେ ହୋଇଥିବା ଜନମତ ସଂଗ୍ରହରେ ଖଣି ଖନନ ସପକ୍ଷରେ ଗୋଟିଏ ବି ଭୋଟ୍ ଦିଆଯାଇ ନଥିଲା। ଯାହାଫଳରେ ନିୟମଗିରିରେ ଖଣି ଖନନ ବନ୍ଦ ହୋଇଗଲା ଏବଂ କୃଷକମାନେ ସଂଘର୍ଷ ମାଧ୍ୟମରେ ନିଜର ଜୀବିକା ରକ୍ଷା କରିବାରେ ସଫଳ ହେଲେ |

ଅନ୍ୟପଟେ ସିଜିମାଳିରେ FRA ଏବଂ PESA ନିୟମକୁ ଉଲ୍ଲଂଘନ କରାଯାଉଥିବା ବେଳେ, ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ମାଝୀ ଏବେ କର୍ପୋରେଟ୍ କମ୍ପାନୀ ଗୁଡିକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି | ମୁଖ୍ୟମନ୍ତ୍ରୀ ନିଜେ ଜଣେ ଆଦିବାସୀ ହୋଇଥିବା ସତ୍ୱେ କମ୍ପାନୀ ସପକ୍ଷରେ ଥିବାରୁ ଏହାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ନିନ୍ଦା କରିଛି | ଏଥିସହିତ କେନ୍ଦ୍ରର ଏନଡିଏ ସରକାର ଓ ରାଜ୍ୟର ବିଜେପି ସରକାର ଖଣି ଏବଂ ଖଣିଜ ପଦାର୍ଥର ଘରୋଇକରଣରୁ ନିବୃତ୍ତ କରନ୍ତୁ, ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ଚେତାଇ ଦେଇଛି।

ଗତ ନଭେମ୍ବର 9 ତାରିଖରେ ସିଜିମାଳି ଠାରେ ମା, ମାଟି, ମାଳି ସୁରକ୍ଷା ମଞ୍ଚ ଦ୍ୱାରା ଆୟୋଜିତ କିଷାନ ପଂଚାୟତରେ ପି କୃଷ୍ଣପ୍ରସାଦ, ଆଫ୍ଲାଟୁନ୍, ରାଜେନ୍ଦ୍ର ଚୌଧୁରୀ ଏବଂ ଲିଙ୍ଗରାଜ ଆଜାଦଙ୍କୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏକ ପ୍ରତିନିଧୀ ଦଳ ଯୋଗ ଦେଇଥିଲେ | କୃଷକଙ୍କ ସଂଗ୍ରାମକୁ ସମର୍ଥନ ଜଣାଇବା ସହିତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ମତ ଦେଇଥିଲେ |

Related Posts