ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ଏହାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ତୃତୀୟ ପର୍ଯ୍ୟାୟରେ ତାମଲନାଡୁର ୯ଟି ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟରାଜନ୍ ଚେନ୍ନାଇ ଦକ୍ଷିଣରୁ ଲଢ଼ିବେ। ନିକଟରେ ସେ ତେଲଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ଓ ଗତକାଲି ବିଜେପିର ସାମିଲ ହୋଇଥିଲେ।
ସେହିପରି ତାମିଲନାଡୁର ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କୁ ଦଳ କୋଏମ୍ବାଟୁରରୁ ପ୍ରାର୍ଥୀ କରିଛି।ଏହାବାଦ କେନ୍ଦ୍ରମନ୍ତ୍ରୀ ଏଲ ମୁରୁଗାନ ନୀଲଗିରୀ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନଟି ଏସ୍ସି ସଂପ୍ରଦାୟକ ପାଇଁ ସଂରକ୍ଷିତ। ଏଲ ମୁରୁଗାନ ୨୦୨୧ରେ ରାଜ୍ୟସଭାକୁ ଯିବା ସହ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଏବେ ସେ ୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।
ଏହାବାଦ ଚେନ୍ନାଇ ସେଣ୍ଟ୍ରାଲରୁ ବିନୋଜ ପି ସେଲଭମ, ଭେଲ୍ଲୋରରୁ ଏସି ଶାନମୁଗମ, କୃଷ୍ଣଗିରିରୁ ସି ନରସୀମା, ପେରାମବାଲୁରରୁ ଟିଆର ପରବିନ୍ଧର, ଟୁତକୁଡ୍ଡିରୁ ଏନ ନଗେନ୍ଦ୍ରନ ଓ କନ୍ୟାକୁମାରୀରୁ ପି ରାଧାକ୍ରିଷ୍ଣନଙ୍କୁ ବିଜେପି ଟିକେଟ ଦେଇଛି। ଏହାପୂର୍ବରୁ ବିଜେପି ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା।
ବିଜେପି ତାମିଲନାଡୁର ମୋଟ ୩୯ଟି ଲୋକସଭା ଆସନରୁ ୨୦ଟିରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଏହି ୨୦ଟି ଆସନ ମଧ୍ୟରୁ ଦଳ ଆଜି କେବଳ ୯ଟି ସ୍ଥାନରେ ପ୍ରାର୍ଥୀ ହେବାକୁ ଯାଉଥିବା ନେତାଙ୍କ ନାଁ ଘୋଷଣା କରିଛି।