
ତେଲେଙ୍ଗାନାରେ ବମ୍ପର ବିଜୟ ସହ ସରକାର ଗଠନ କରିବ କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି( ଟିଆରଏସ) । ଲଗାତାର ଦ୍ବିତୀୟ ଥର ପାଇଁ ଦଳ କ୍ଷମତା ଦଖଲ କରିଥିବାବେଳେ ଗୁରୁବାର ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଆର୍ଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ । ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଟିଆର୍ଏସ୍ ୮୮ଟି ଆସନ ଜିତିଛି ।
ବିଧାନସଭା ନିର୍ବାଚନ ଫଳାଫଳ ଏକତରଫା ଭାବେ ଟିଆରଏସ୍ ଆଡ଼କୁ ଯିବା ପରେ ଏହାକୁ ନେଇ ଉତ୍ସାହିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଆଗାମୀ ଦିନରେ ଜାତୀୟ ରାଜନୀତିରେ ଟିଆର୍ଏସ୍ ବଡ଼ ଦାୟିତ୍ୱ ଓ ଭୂମିକା ତୁଲାଇବାର ସଙ୍କେତ ଦେବା ସହ ତୃତୀୟ ସାମ୍ମୁଖ୍ୟ ବା ଥାର୍ଡ ଫ୍ରଣ୍ଟ ଆଡ଼କୁ ଇସାରା କରିଛନ୍ତି । କେ ଚନ୍ଦ୍ରଶେଖର ରାଓଙ୍କ ସହିତ ଗୁରୁବାର ଅନ୍ୟ କେତେକ ମନ୍ତ୍ରୀ ମଧ୍ୟ ଶପଥ ନେଇପାରନ୍ତି ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି ।
ଚନ୍ଦ୍ରଶେଖର ରାଓ ନିଜେ ଗଜେଓ୍ଵାଲ ନିର୍ବାଚନମଣ୍ଡଳୀରୁ ୫୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଚନ୍ଦ୍ରଶେଖର ରାଓଙ୍କ ପୁଅ କେ ଟି ରାମାରାଓ ୮୯,୯୦୯ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଗତ ନଭେମ୍ବର ୭ ତାରିଖରେ ଅନୁଷ୍ଠିତ ତେଲେଙ୍ଗାନା ନିର୍ବାଚନରେ କଂଗ୍ରେସ-ଟିଡ଼ିପି ମେଣ୍ଟ ରାଜ୍ୟରେ ମାତ୍ର ୨୧ଟି ଆସନରେ ବିଜୟୀ ହୋଇଥିବା ବେଳେ ଏଆଇଏମ୍ଆଇଏମ୍ ୭ଟି ଓ ବିଜେପି ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି ।