
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ପରିଚାଳନାକୁ ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏକ ସାକ୍ଷାତକାରରେ ସେ କନ୍ଦ୍ରର ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ କରୋନା ଏକ “ରାଷ୍ଟ୍ରୀୟ ସମସ୍ୟା” ନା ଏହା କେବଳ ରାଜ୍ୟ ମାନଙ୍କର ସମସ୍ୟା। କେନ୍ଦ୍ର ସରକାର କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ କାହିଁକି ରାଷ୍ଟ୍ରୀୟ ସମସ୍ୟା ଭାବି ଏଥିପାଇଁ ଠୋସ୍ ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ସେ ପଚାରିଛନ୍ତି। ଟିକା ଅଭାବକୁ ନେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଯଦି ଝାଡଖଣ୍ଡ ସରକାର ରାଜ୍ୟର ଆବଶ୍ୟକ ମୁତାବକ ସବୁ ଟିକା କିଣନ୍ତି ତେବେ ତାଙ୍କ ରାଜ୍ୟ ଦେବାଳିଆ ହୋଇଯିବ। ଝାଡଖଣ୍ଡର ଲୋକଙ୍କ ପାଇଁ ସାଢେ ତିନି କୋଟିରୁ ଚାରି କୋଟି ଡୋଜ ଆବଶ୍ୟକ ରହିଛି। କିନ୍ତୁ ଶନିବାର ସୁଦ୍ଧା ତାଙ୍କ ପାଖରେ ମାତ୍ର ୪୦ ଲକ୍ଷ ଡୋଜ ପହଞ୍ଚିଛି ବୋଲି ସେ କହିଛନ୍ତି। ମହାରାଷ୍ଟ୍ର ରାଜ୍ୟର ଉଦାହରଣ ଦେଇ ସୋରେନ୍ କହିଛନ୍ତି ଯେ, ବିଏମସିର ଏକ ସ୍ବତନ୍ତ୍ର ବଡ ବଜେଟ୍ ରହିଥିବା କାରଣରୁ ମୁମ୍ବାଇର ଲୋକମାନଙ୍କ ଟୀକାକରଣ ପାଇଁ ସେମାନେ ଗ୍ଲୋବାଲ ଟେଣ୍ଡର ଜରିଆରେ ବାହାର ଦେଶରୁ ଟିକା କିଣି ପାରିବେ। କିନ୍ତୁ ଝାଡଖଣ୍ଡ ଭଳି ରାଜ୍ୟ ପାଇଁ ଏଭଳି କରିବା ସମ୍ଭବ ନୁହେଁ। ସୋରେନ କହିଛନ୍ତି ଯେ ଯଦି ସେ ଟିକା କିଣନ୍ତି ତେବେ ରାଜ୍ୟର ଆର୍ଥିକ ସ୍ଥିତି ଯାହା ଟିକା କିଣିଲେ ରାଜ୍ୟ ଦେବାଳିଆ ହୋଇଯିବା। କେନ୍ଦ୍ର ସରକାର ପ୍ରଥମେ ନିଜେ ଟିକା ଯୋଗାଣ କରୁଥିଲେ କିନ୍ତୁ ଏବେ ରାଜ୍ୟକୁ ଟୀକା କିଣିବା ପାଇଁ ଅନୁମତି ଦେଇଛନ୍ତି। କେନ୍ଦ୍ର ସରକାର କାହିଁକି ଝାଡଖଣ୍ଡକୁ ମହାରାଷ୍ଟ୍ର କିମ୍ବା ତାମିଲନାଡୁ ସହିତ କାହିଁକି ତୁଳନା କରୁଛନ୍ତି ବୋଲି ସୋରେନ୍ ପ୍ରଶ୍ନ କରିଛନ୍ତି ? ଏହି ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ” ନା କେନ୍ଦ୍ର ସରକାର ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ କିଛି ପଦକ୍ଷେପ ନେଉଛନ୍ତି ନା ରାଜ୍ୟ ଗୁଡିକୁ କାମ କରିବାକୁ ଅନୁମତି ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ସୋରେନ୍ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର କୋଭିଡ୍ ଚିକିତ୍ସାରେ ଆବଶ୍ୟକ ହେଉଥିବା ଜରୁରୀ ମେଡିସିନ କିଣିବା ପାଇଁ ମଧ୍ୟ ଅନୁମତି ଦେଉନଥିବା ହେତୁ ରାଜ୍ୟ ଗୁଡିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ କେନ୍ଦ୍ର ସରକାର COVID-19 ମହାମାରୀର ପରିଚାଳନା ସହ ଜଡିତ ଟିକା, ଅକ୍ସିଜେନ ଏବଂ ମେଡିକାଲ ଉପକରଣ ଭଳି ଜରୁରୀ ସାମଗ୍ରୀ ଆମଦାନୀ କରିବା ଭଳି ଜରୁରୀ ଆବଶ୍ୟକତାର ନିୟନ୍ତ୍ରଣ ନିଜ ପାଖରେ ରଖିଛନ୍ତି। ପିଏମ୍ କେୟାର ଫଣ୍ଡ୍ କୁ ନେଇ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସେ ଦାବି କରିଛନ୍ତି ଯେ PM CARES ପାଣ୍ଠି ଦ୍ବାରା କଣ ସବୁ କରାଯାଉଛି ତାହାର ହିସାବ କେନ୍ଦ୍ର ସରକାର ଦେବା ଉଚିତ୍। “PM CARES ଫଣ୍ଡ୍ ଅଧୀନରେ ହଜାର ହଜାର କୋଟି ଟଙ୍କା ସଂଗ୍ରହ କରାଯାଇଛି ତେଣୁ ଏଥିରେ ସ୍ୱଚ୍ଛତା ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ମେ ୭ ତାରିଖରେ ହେମନ୍ତ ସୋରେନ ଟ୍ବିଟ୍ କରି ଲେଖିଥିଲେ ଯେ , “ଆଜି ଆଦରଣୀୟ ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନ କରିଥିଲେ। ସେ କେବଳ ନିଜ ମନର କଥା କହିଲେ। ଭଲ ହୋଇଥାନ୍ତା ଯଦି ସେ କାମର କଥା କହିଥାନ୍ତେ ଏବଂ କାମର କଥା ଶୁଣିଥାନ୍ତେ।”