ପ୍ରିୟଙ୍କା ଗାନ୍ଧୀଙ୍କ ଠାରୁ ଦୁଇ କୋଟିର ଏକ ପେଣ୍ଟିଂ କିଣିବାକୁ ମୋତେ ବାଧ୍ୟ କରାଯାଇଥିଲା; ଆଉ ଏହି ଟଙ୍କାରେ ସୋନିଆ ଗାନ୍ଧୀଙ୍କ ଚିକିତ୍ସା ହୋଇଥିଲା: ରାଣା କପୁର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟସ ବ୍ୟାଙ୍କର ସହ-ପ୍ରତିଷ୍ଠାତା ରାଣା କପୁର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଚାର୍ଜସିଟରେ ପଚରାଉଚରା ବେଳେ ବଡ଼ ଖୁଲାସା କରିଛନ୍ତି । ତେବେ ସେ ପ୍ରିୟଙ୍କା ଗାନ୍ଧୀଙ୍କଠାରୁ ଏମଏଫ ହୁସେନ୍ଙ୍କ ଚିତ୍ର କିଣିବାକୁ ବାଧ୍ୟ ହୋଇଥିଲେ ଏବଂ ଏହି ଅର୍ଥକୁ ବ୍ୟବହାର କରି ଗାନ୍ଧୀ ପରିବାର ନ୍ୟୁୟର୍କରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଚିକିତ୍ସା କରିଥିଲେ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ସହ ପଚରାଉଚରା ବେଳେ ରାଣା କପୁର ମଧ୍ୟ ଇଡିଙ୍କୁ କହିଛନ୍ତି ଯେ ତାଙ୍କୁ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ମୁର୍ଲି ଦେବଡ଼ା ଗାନ୍ଧୀ ପରିବାର ସହ ସମ୍ପର୍କ ସ୍ଥାପନ କରିବା ଏବଂ ‘ପଦ୍ମ ଭୂଷଣ ପୁରସ୍କାର ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ମୁର୍ଲି ଦେବଡ଼ା କହିଥିଲେ ଯେ ଯଦି ସେ ପ୍ରିୟଙ୍କା ଗାନ୍ଧୀଙ୍କଠାରୁ ଚିତ୍ର କିଣନ୍ତି ନାହିଁ, ତେବେ ଗାନ୍ଧୀ ପରିବାର ସହ ସମ୍ପର୍କ ଖରାପ ହୋଇପାରେ। ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜସିଟ୍ ଅନୁଯାୟୀ ରାଣା କପୁର କହିଛନ୍ତି ଯେ ସେ ଏହି ଚିତ୍ର ପାଇଁ ସେ ଦୁଇ କୋଟି ଟଙ୍କାର ଚେକ ଦେଇଛନ୍ତି। ଇଡିର ଚାର୍ଜସିଟ୍ ଅନୁଯାୟୀ, ରାଣା କପୁର ଦାବି କରିଛନ୍ତି ଯେ ମର୍ଲି ଦେବଡ଼ାଙ୍କ ପୁଅ ମିଲିନ୍ଦ ଦେବଡ଼ା ତାଙ୍କୁ ଗୋପନୀୟ ଭାବରେ କହିଛନ୍ତି ଯେ ବିକ୍ରି ପରେ ମିଳିଥିବା ଅର୍ଥରେ ଗାନ୍ଧୀ ପରିବାର ନ୍ୟୁୟର୍କରେ ସୋନିଆ ଗାନ୍ଧୀଙ୍କ ଚିକିତ୍ସା କରିଥିଲେ।

କପୁର ଇଡିକୁ ଏହା ମଧ୍ୟ କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଅହମ୍ମଦ ପଟେଲ ତାଙ୍କୁ କହିଥିଲେ ଯେ ସୋନିଆ ଗାନ୍ଧୀଙ୍କ ଚିକିତ୍ସା ପାଇଁ ଗାନ୍ଧୀ ପରିବାରକୁ ଠିକ୍ ସମୟରେ ସାହାଯ୍ୟ କରି ସେ ଏକ ଭଲ କାମ କରିଛନ୍ତି ଏବଂ ପଦ୍ମ ଭୂଷଣ ପୁରସ୍କାର ପାଇଁ ତାଙ୍କ ନାମକୁ ଯଥାର୍ଥ ଭାବରେ ବିଚାର କରାଯିବ ବୋଲି କହିଥିଲେ । ଅନ୍ୟପଟେ ଚାର୍ଜସିଟ ଅନୁଯାୟୀ, ମର୍ଲି ଦେବଡ଼ା ବାରମ୍ବାର ରାଣା କପୁରଙ୍କୁ ପେଣ୍ଟିଂ କିଣିବାକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥିଲେ ଏବଂ କହିଥିଲେ ଯେ ତାଙ୍କ ପ୍ରତ୍ୟାଖ୍ୟାନ ତାଙ୍କୁ ଗାନ୍ଧୀ ପରିବାର ସହ ସମ୍ପର୍କ ସ୍ଥାପନ କରିବାର ସୁଯୋଗ ଦେବ ନାହିଁ । ପେଣ୍ଟିଂକୁ କିଣିଲେ ତାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିବାର ପଥ ପରିଷ୍କାର ହେବ । ଇଡିଙ୍କୁ ଦିଆଯାଇଥିବା ବିବୃତ୍ତିରେ ରାଣା କପୁର କହିଛନ୍ତି ଯେ ରାତ୍ରୀ ଭୋଜନ ସମୟରେ ମୁର୍ଲି ଦେବଡ଼ା କହିଥିଲେ ଯେ ପେଣ୍ଟିଂ କିଣିବାକୁ ମନା କରିବା ତାଙ୍କ ଏବଂ ୟାସ ବ୍ୟାଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ସେପଟେ ମାର୍ଚ୍ଚ ୨୦୨୦ ରେ ଗିରଫ ହେବା ପରଠାରୁ ରାଣା କପୁର ନ୍ୟାୟିକ ହେପାଜତରେ ଅଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts