
ମୁମ୍ବାଇ:ଶନିବାର ବିଳମ୍ବିତ ରାତିରେ ପୂର୍ବତନ ବିଜେପି ସାଂସଦ କୀରଟ ସୋମେୟାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇ ଠାରେ ସୋମେୟାଙ୍କ ଗାଡି ଉପରେ ଆକ୍ରମଣ ହୋଇଛି । ଏଥିରେ ବିଜେପି ନେତା ଆହତ ହୋଇଛନ୍ତି । ହନୁମାନ ଚାଳିଶା ପାଠ ମାମଲାରେ ଗିରଫ ମହାରାଷ୍ଟ୍ର ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ବିଧାୟକ ରବି ରାଣାକୁ ଭେଟି କୀରଟ ସୋମେୟା ଫେରୁଥିବା ସମୟରେ ଅଧାବାଟରେ ତାଙ୍କୁ ଆକ୍ରମଣ କରାଯାଇଛି ।
ଶିବସେନା କାର୍ଯ୍ୟକର୍ତ୍ତାମାନେ ଏହି ଆକ୍ରମଣ କରିଥିବା ସୋମେୟା ଅଭିଯୋଗ କରିଛନ୍ତି ।
ଏହି ଆକ୍ରମଣ ସମ୍ପର୍କରେ ସେ ଅଭିଯୋଗ କରିଥିବା ବେଳେ ମୁମ୍ବାଇ ପୋଲିସ ତାଙ୍କ FIR ଗ୍ରହଣ କରୁନଥିବା କୀରଟ ସୋମେୟା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ମୁମ୍ବାଇ ପୋଲିସ ମୋ ଏତଲା ଦାୟର କରିବାକୁ ମନା କରିଦେଇଛି । ମୋ ଗାଡିକୁ କେବଳ ଗୋଟିଏ ପଥରମାଡ ହୋଇଥିବା ନେଇ ପୋଲିସ ମିଥ୍ୟା ମାମଲା ରୁଜୁ କରିଛି । ଯେତେବେଳେ କି, ୭୦ରୁ ୮୦ ଜଣ ଶିବସେନା କର୍ମୀ ମୋତେ ଆକ୍ରମଣ କରିଛନ୍ତି । ମୋ ଜୀବନ ନେବା ପାଇଁ ଉଦ୍ଧବ ଠାକରେଙ୍କ ଏହା ତୃତୀୟ ଉଦ୍ୟମ ବୋଲି ଅଭିଯୋଗ କରିଛନ୍ତି ସୋମେୟା ।ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ, ଆଶିଷ ଶେଲରଙ୍କ ସମେତ ବିଜେପିର ବହୁ ନେତା ସୋମେୟାଙ୍କ ଉପରେ ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । Z ବର୍ଗ ସୁରକ୍ଷା ଦିଆଯାଉଥିବା ସୋମେୟାଙ୍କୁ ଆହତ ଅବସ୍ଥାରେ ଦେଖାଯାଇଛି । ତାଙ୍କ ଗାଡିଟି ଭାଙ୍ଗି ଯାଇଥିବା ସହ ଗାଡି କାଚରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଛି । ଆକ୍ରମଣ ନେଇ ସୋମେୟା ପୂର୍ବରୁ ପୋଲିସକୁ ଅବଗତ କରିଥିଲେ । ବାହାରେ ଏକ ବଡ ଭିଡ ତାଙ୍କୁ ଆକ୍ରମଣ ପାଇଁ ଅପେକ୍ଷା କରିଛି ଏବଂ ସେମାନଙ୍କୁ ଘଉଡାଇବାକୁ ପୋଲିସକୁ ସେ ଅନୁରୋଧ କରିଥିଲେ । ହେଲେ ଏଥିପ୍ରତି ପୋଲିସ କର୍ଣ୍ଣପାତ କରିନଥିଲା ଏବଂ ଆକ୍ରମଣ ପାଇଁ ସୁଯୋଗ ଦେଇଥିଲା ବୋଲି ଫଡନାଭିସ ଅଭିଯୋଗ କରିଛନ୍ତି ।
ସେପଟେ ତାଙ୍କ ଉପରେ ହୋଇଥିବା ଏହି ଆକ୍ରମଣକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଗୃହମନ୍ତ୍ରୀ ଦିଲ୍ଲୀପ ପାଟିଲଙ୍କ ସହ କଥା ହେବେ ବୋଲି ସେ ଜଣାଇଛନ୍ତି ।