ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅକ୍ଟୋବର ୨୩ରେ ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା ଏବଂ ସମସ୍ତ ସଦସ୍ୟାଙ୍କୁ ବରଖାସ୍ତ କରାଗଲା ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଗଲା । ଅକ୍ଟୋବର ୨୯ରେ ମହିଳା କମିସନ ଅଧ୍ୟକ୍ଷା ଶ୍ରୀମତୀ ବେହେରାଙ୍କୁ ସୋ କଜ୍ ନୋଟିସ୍ ଦେଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ଅଧ୍ୟକ୍ଷାଙ୍କ କାର୍ଯ୍ୟକାଳ ଭିତରେ ମାମଲା ଶୁଣାଣି ଓ କ୍ୟାମ୍ପ କୋର୍ଟ ଆୟୋଜନ ଆଦୌ ସନ୍ତୋଷଜନକ କାହିଁକି ନୁହେଁ ବୋଲି ଜବାବ ମଗାଗଲା । ଆଉ ନଭେମ୍ବର ୧ରେ ସୋ କଜ୍ ନୋଟିସ୍ ର ଜବାବ ଦେଲେ ଅଧ୍ୟକ୍ଷା ମିନତୀ ବେହେରା। ଆଉ ନଭେମ୍ବର ୯ରେ ଅଧ୍ୟକ୍ଷା ମିନତୀ ବେହେରାଙ୍କ ବରଖାସ୍ତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲା ।
ରାଜ୍ୟରେ ଶାସନ ବ୍ୟବସ୍ଥା କେଉଁଭଳି ବିଚିତ୍ର ଅବସ୍ଥାକୁ ଆସିଛି, ଏହି ଘଟଣା ତାହା ସ୍ପଷ୍ଟ କରିଦେଉଛି । ବିଜେଡି ସରକାରଙ୍କ ଅମଳରେ ନିଯୁକ୍ତି ପାଇଥିବା ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ବିଜେପି ସରକାର ତଥା ଖୋଦ୍ ମୁଖ୍ୟମନ୍ତ୍ରୀ ବରଖାସ୍ତ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଗଲାନି । ଓଲଟି ୬ ଦିନ ପରେ ମହିଳା ଓ ଶିଶୁ ବିକାଶ ବିଭାଗ ମିନତି ବେହେରାଙ୍କୁ ସୋ କଜ୍ ବା କାରଣଦର୍ଶାଅ ନୋଟିସ୍ ଜାରି କଲା । ନଭେମ୍ବର ୧ ତାରିଖରେ ସେ ଏହି ନୋଟିସ୍ ର ଜବାବ ଦେଇଥିଲେ । ମାତ୍ର ତାହା ଉପରେ ହାତ ବାନ୍ଧି ବସିପଡ଼ିଲା ମହିଳା ଓ ଶିଶୁ ବିକାଶ ବିଭାଗ । ଅଧ୍ୟକ୍ଷା ଶ୍ରୀମତୀ ବେହେରା ସ୍ୱାଭାବିକ ଭାବେ ତାଙ୍କର ଅଫିସ୍ କାର୍ଯ୍ୟ ଜାରି ରଖିଲେ । ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଲା । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନର କୌଣସି ନିର୍ଦ୍ଦେଶନାମା ପାଇନାହାନ୍ତି ବୋଲି ଶ୍ରୀମତୀ ବେହେରା ପ୍ରତିକ୍ରିୟା ଦେଇଥିଲେ । ଏହାପରେ ଶନିବାର ଦିନ ସରକାରୀ ଛୁଟି ରହିଥିଲେ ମଧ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବରଖାସ୍ତ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ତେବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଥିବା ପ୍ରଶ୍ନଟି ହେଉଛି, ମହିଳା କମିସନ ଅଧ୍ୟକ୍ଷା ଏବଂ ସଦସ୍ୟମାନଙ୍କ ବରଖାସ୍ତ ନେଇ କେଉଁ ପ୍ରକ୍ରିୟା ଅନୁସରଣ କରିବାକୁ ହୁଏ ତାହା କ’ଣ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାଣି ନ ଥିଲେ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୩ ତାରିଖରେ ଗଣମାଧ୍ୟମକୁ ସୂଚନା ଦେବା ପୂର୍ବରୁ ଅଫିସରମାନେ କ’ଣ ସେସବୁ ଜାଣି ନ ଥିଲେ? ସରକାର ଚାହୁଁଥିବା କାର୍ଯ୍ୟକୁ ସଠିକ୍ ଢ଼ଙ୍ଗରେ କାର୍ଯ୍ୟକାରୀ ନ କରି ତରବରିଆ ଭାବେ ଏମିତି ନିଷ୍ପତ୍ତି ନେବାର କ’ଣ ଥିଲା ଆବଶ୍ୟକତା? ମୋହନ ସରକାର ଏଭଳି ବାରମ୍ବାର ଅପଦସ୍ଥ ହେବା ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଛି ।