ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ କଣ୍ଟାବାଞ୍ଝି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ଓ ନିର୍ବାଚନ ହାରିବାକୁ ନେଇ ଥମୁନି ରାଜନୀତି | ନବୀନଙ୍କୁ ଷଡଯନ୍ତ୍ର କରି ଜାଣିଶୁଣି ହାରିବାକୁ କଣ୍ଟାବାଞ୍ଝି ପଠାଯାଇଥିଲା ବୋଲି ନିକଟରେ ବିଜେଡି ଛାଡି ବିଜେପିରେ ମିଶିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ବୟାନ ଦେଇଥିଲେ | ଏହାକୁ ନେଇ ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ହେବାପରେ ନିଜେ ନବୀନ ଏହାକୁ ନିନ୍ଦା କରିଥିଲେ | ଆଉ ଏବେ ନବୀନଙ୍କ ଟ୍ୱିଟର ଜବାବ ଦେଇଛନ୍ତି ତାଙ୍କୁ ହରାଇଥିବା କଣ୍ଟାବାଞ୍ଝିର ବିଧାୟକ ଲକ୍ଷ୍ମଣ ବାଗ |
ତେବେ କଣ୍ଟାବାଞ୍ଝିରେ ଷଡଯନ୍ତ୍ରକୁ ନେଇ ଗତ ନଭେମ୍ବର ୫ରେ ସୋସିଆଲ ମିଡ଼ିଆ ଏକ୍ସରେ ନବୀନ କହିଥିଲେ, ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ନେଇ କିଛି ନ୍ୟସ୍ତ ସ୍ୱାର୍ଥ ଥିବା ବ୍ୟକ୍ତିଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଗୁଜବ ଓ ମିଥ୍ୟା ପ୍ରଚାରର ଦୃଢ଼ ନିନ୍ଦା କରୁଛି। ଏମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇ ଥିଲେ। ଏପରି କି ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ କରିବାକୁ ପଛାଇ ନଥିଲେ। ଏପରି ବିଭ୍ରାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିମାନେ କିଏ ଓଡ଼ିଶାବାସୀ ଏବେ ଠିକ୍ ବୁଝିଲେଣି। ପ୍ରଭୁ ଜଗନ୍ନାଥ ଏପରି ଗୁଜବ ତଥା ଅପପ୍ରଚାରରୁ ଦୂରେଇ ରହିବା ପାଇଁ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ | ତେବେ ନିଜ ପୋଷ୍ଟ ରେ କାହାରି ନାଁ ନେଇ ନଥିଲେ ନବୀନ |
ଆଉ ଆଜି ନବୀନଙ୍କ ପୋଷ୍ଟର ଜବାବ ରଖିଛନ୍ତି ଲକ୍ଷ୍ମଣ ବାଗ | ସେ କହିଛନ୍ତି, ନବୀନ ବାବୁ ୨୫ ବର୍ଷ ଶାସନରେ ଥିଲେ। ତାଙ୍କୁ ଲୋକ ଭଲ ପାଉଥିଲେ ଭୋଟ୍ ଦେଉଥିଲେ । ଏବେ ତାଙ୍କ କଥା ସବୁ ପଦାରେ ପଡିଛି। ତାଙ୍କୁ ଲୋକେ ପ୍ରତ୍ୟାଖାନ କରିଛନ୍ତି। ସେ ସରକାରରେ ଥିଲେ, ପ୍ରଶାସନ କଳ ତାଙ୍କ ହାତରେ ଥିଲା ତାପରେ ବି ହାରିଲେ। ଏଥିରୁ ସ୍ପଷ୍ଟ ଲୋକେ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି। ଆମେ ଯେତେବେଳେ ଷ୍ଟ୍ରଙ୍ଗ ରୁମ୍ରେ ତାଲା ପକାଇବାକୁ କହିଥିଲୁ ସେ କହିଥିଲେ ତମର କ’ଣ ଆମ ଉପରେ ବିଶ୍ୱାସ ନାହିଁ। ଯଦି ସେତେବେଳେ ଏମିତି କହୁଥିଲେ ଏବେ କାହିଁକି ସୋସିଆଲ ମିଡ଼ିଆରେ ଏଭଳି କହୁଛନ୍ତି । ଯାହା ବିଚାର କରିଛନ୍ତି ଜନତା କରିଛନ୍ତି ବୋଲି ଲକ୍ଷ୍ମଣ ବାଗ୍ କହିଛନ୍ତି।