
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ରରେ ମୋଦୀ ସରକାରଙ୍କ ସାତ ବର୍ଷ ପୂରିଛି। ଏହି ଅବସରରେ କେନ୍ଦ୍ର ସରକାର ଏବଂ ବିଜେପି ନିଜ ସଫଳତାର ଗୁଣଗାନ କରୁଥିବା ବେଳେ କଂଗ୍ରେସ ମୋଦୀ ସରକାରକୁ ଦେଶ ପାଇଁ କ୍ଷତିକାରକ ବୋଲି କହିଛି। କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା ଏକ ସାମ୍ବାଦିକ ସମ୍ମିଳନୀରେ ମୋଦୀ ସରକାରଙ୍କ ସାତ ବର୍ଷ ପୂର୍ତ୍ତିକୁ ନେଇ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ଯେ ମୋଦୀ ସରକାର ଗତ ସାତ ବର୍ଷ ମଧ୍ୟରେ ଦେଶବାସୀଙ୍କୁ ଅସଂଖ୍ୟ କଷ୍ଟ ଦେଇଛନ୍ତି । ମୋଦୀ ସରକାରଙ୍କ ସାତ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଦେଶର ଅର୍ଥ ବ୍ୟବସ୍ଥା ଭୁଷୁଡି ପଡିଛି, ବେକାରୀ ଏବେ ଚରମ ସୀମାରେ, ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ବୋଲି କଂଗ୍ରେସ ନେତା କହିଛନ୍ତି। ସୂର୍ଯ୍ୟୱାଲା ଗତ ସାତ ବର୍ଷ ଆମେ କ’ଣ ପାଇଛୁ ଏବଂ କଣ ହରାଇଛୁ ଏହାର ହିସାବ ଦେଇଛନ୍ତି ?
ସାତ ବର୍ଷରେ କଣ ହରାଇଛୁ – ଗଣତନ୍ତ୍ରର ସମ୍ମାନ, ସାମ୍ବିଧାନିକ ଅନୁଷ୍ଠାନ, ଶାସନର ମର୍ଯ୍ୟାଦା , ପ୍ରଧାନମନ୍ତ୍ରୀଙ୍କ ସମବେଦନା ଏବଂ ଯନ୍ତ୍ରଣା ବାଣ୍ଟିବା ଏବଂ ପ୍ରତିଶ୍ରୁତି ପାଳନ କରିବାର ବିଶ୍ୱାସ ମାନବିକତା, ଆତ୍ମନିର୍ଭରଶୀଳତା, ବିଶ୍ୱ ମୂଲ୍ୟବୋଧ ହରାଇଛୁ । ସୁରଜେୱାଲା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଲୋକଙ୍କ ବିଶ୍ୱାସ ଓ ସମ୍ମାନ ହରାଇଛନ୍ତି, କିନ୍ତୁ ଆଜି ବି ସେ ଗର୍ବ କରୁଛନ୍ତି ଯେ ସେ ହିଁ ମହାନ ।
ସାତ ବର୍ଷରେ ତୁମେ କ’ଣ ପାଇଛୁ ? – ସୁରଜେୱାଲା
ସୁରଜୱାଲା କହିଛନ୍ତି ଯେ ମୋଦୀ ସରକାରଙ୍କ ସାତ ବର୍ଷ ମଧ୍ୟରେ ଆମେ ପାଇଛୁ – ” କେବଳ ଘୃଣା ଏବଂ ବିଭାଜନ , ମିଥ୍ୟା ବିମୁଦ୍ରୀକରଣ ଏବଂ ଜିଏସଟିର ମାୟା,ଏବଂ ଜୁମାଲର ଛାୟା। ହଜାର ହଜାର ମୃତଦେହ ଗଙ୍ଗାରେ ଭାସିଲେ । ଉନ୍ନାଓ, ପ୍ରୟାଗରାଜ ଏବଂ କାନପୁରରେ ମାଟି ତଳେ ଦବି ଯାଇଥିବା ନିଶ୍ବାସ , ଶ୍ମଶାନ ଘାଟର ଉଚ୍ଚ ପ୍ରାଚୀର ପଛପଟେ ଜଳୁଥିବା ଯୁଇ। ସେ କହିଛନ୍ତି ଯେ ଏସବୁ ଭାରତ ମାତାର ସଂସ୍କୃତି ଏବଂ ସଂସ୍କାର କଦାପି ହୋଇପାରିବ ନାହିଁ।
କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସାତ ବର୍ଷରେ ମୋଦୀ ସରକାରଙ୍କ ସାତଟି ଅପରାଧିକ ଭୁଲ୍ :
୧- ଅର୍ଥ ବ୍ୟବସ୍ଥା ଏବେ ଗର୍ତ୍ତ ବ୍ୟବସ୍ଥା –
୨୦୧୪ ରେ ଯେତେବେଳେ ମୋଦୀ ସରକାର କ୍ଷମତାକୁ ଆସିଲେ, ଦେଶର ହାରାହାରି ଜିଡିପି ଅଭିବୃଦ୍ଧି ହାର ୮.୧ ପ୍ରତିଶତ ଥିଲା କିନ୍ତୁ କରୋନା ମହାମାରୀ ପୂର୍ବରୁ ମୋଦୀ ସରକାରଙ୍କ ଖରାପ ଆର୍ଥିକ ନିତୀ ଯୋଗୁଁ ୨୦୧୯-୨୦ ଆର୍ଥିକ ବର୍ଷରେ ଜିଡିପି ହାର ୪.୨ ପ୍ରତିଶତକୁ ଖସି ଆସିଥିଲା। ୭୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶ ଆର୍ଥିକ ଅବନତି ଦେଇ ଗତି କରୁଛି। ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସିକରେ ଜିଡିପି ହାର ମାଇନସ୍ ୨୪.୧ ପ୍ରତିଶତକୁ ଖସି ଆସିଛି (-୨୪.୧%)। ସମ୍ପ୍ରତି, ୨୦୨୦-୨୧ର ଦ୍ୱିତୀୟ ତ୍ରୟ ମାସିକରେ ଏହା ମାଇନସ୍ ୭.୫ ପ୍ରତିଶତ (-୭.୫%) ରହିଛି । ଆକଳନ ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ହାର ମାଇନସ୍ ୮ ପ୍ରତିଶତ (- ୮ %) ରହିବ।
୨. ବିକାରୀ ଏବେ ମହାମାରୀ ପାଲଟିଛି :
ପ୍ରତିବର୍ଷ ଦୁଇ କୋଟି ଚାକିରୀ ଦେବେ ବୋଲି ପ୍ରତିଶୃତି ଦେଇ ମୋଦୀ ସରକାର କ୍ଷମତାକୁ ଆସିଥିଲେ। ଆଉ ସାତ ବର୍ଷ ମଧ୍ୟରେ ୧୪ କୋଟି ଚାକିରୀ ତ ଦେବା ଦୂରର କଥା ଗତ ୪୫ ବର୍ଷ ମଧ୍ୟରେ ଦେଶରେ ବେକାରି ସର୍ବାଧିକ ରହିଛି। ସେଣ୍ଟର ଫର ମନିଟରିଂ ଅଫ୍ ଇଣ୍ଡିଆନ୍ ଇକୋନୋମି (CMIE) ର ସଦ୍ୟତମ ତଥ୍ୟ ଅନୁଯାୟୀ ଦେଶରେ ବେକାରୀ ହାର ଦୁଇ ଅଙ୍କ ପାର କରି ୧୧.୩ ପ୍ରତିଶତରେ ପହଞ୍ଚିଛି। ପରିସଂଖ୍ୟାନ ଅନୁଯାୟୀ, କେବଳ କରୋନା ଅବଧିରେ, ୧୨. କୋଟି ଲୋକ ସେମାନଙ୍କର ରୋଜଗାର ହରାଇଛନ୍ତି।
୩. ଦରବୃଦ୍ଧି ଯୋଗୁଁ ଚାରିଆଡ଼େ ହାହାକାର
ଗୋଟିଏ ପଟେ କରୋନା ମହାମାରୀ ଏବଂ ଅନ୍ୟ ପଟେ ମୋଦୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ମୁଦ୍ରାସ୍ଫୀତି ଉଭୟ ଦେଶବାସୀଙ୍କ ପାଇଁ ଶତ୍ରୁ ପାଲଟିଯାଇଛି । ଖାଦ୍ୟ ସାମଗ୍ରୀଠାରୁ ତେଲ ଦର ସବୁ ଏବେ ଆକାଶ ଛୁଇଁଛି । ଏହାର ସବୁଠାରୁ ସ୍ପଷ୍ଟ ଉଦାହରଣ ହେଉଛି ଅନେକ ରାଜ୍ୟରେ ପେଟ୍ରୋଲ ଦର ଲିଟର ୧୦୦ଟଙ୍କା ରହିଥିବା ବେଳେ ସୋରିଷ ତେଲ ୨୦୦ ଟଙ୍କା ପାର କରିଛି ।
୪. କୃଷକମାନଙ୍କ ଉପରେ ଅହଂକାରୀ ଶକ୍ତିର ଆକ୍ରମଣ
ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ସରକାର(ମୋଦୀ ସରକାର) ଯିଏକି କୃଷକ ମାନଙ୍କ ଠାରୁ ସେମାନଙ୍କର ଜୀବିକା ଛଡାଇ ନେଇ ନିଜ ପୁଞ୍ଜିପତି ସମର୍ଥକଙ୍କୁ ସାହାଯ୍ୟ କରୁଛନ୍ତି। ମୋଦୀ ସରକାର ଅନ୍ନଦାତାମାନଙ୍କ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରୁଛନ୍ତି। କେତେବେଳେ ସେମାନଙ୍କ ଉପରେ ଲାଠିମାଡ ତ ପୁଣି କେତେବେଳେ ସେମାନଙ୍କୁ ଆତଙ୍କବାଦୀ ବୋଲି ଆଖ୍ୟା ଦେଉଛନ୍ତି। ପୁଣି ଆଉ କେତେବେଳେ ସେମାନଙ୍କୁ ରୋକିବା ପାଇଁ ରାସ୍ତାରେ କଣ୍ଟା ପୋତି ଦେଉଛନ୍ତି। ୨୦୧୪ରେ ଶାସନ କ୍ଷମତାକୁ ଆସୁ ଆସୁ ଅଧ୍ୟାଦେଶ ଆଣି କୃଷକଙ୍କ ଜମିର ‘ଉଚିତ୍ କ୍ଷତିପୂରଣ ଆଇନ 2013’ ପରିବର୍ତ୍ତନ କରି ଚାଷୀଙ୍କ ଜମି ଦଖଲ କରିବାକୁ ଚେଷ୍ଟା କରାଯାଇଥିଲା।
୫. ଗରିବ ଏବଂ ମଧ୍ୟବିତ୍ତ ପ୍ରଭାବିତ :
କଂଗ୍ରେସ ନେତା ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଶ୍ବ ବ୍ୟାଙ୍କର ରିପୋର୍ଟରେ ଦର୍ଶାଯାଇଛି ଯେ ୟୁପିଏ ସରକାରର ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଭାରତରେ ୨୭ କୋଟି ଲୋକ ଦାରିଦ୍ର ସୀମାରେଖା ଉପରକୁ ଉଠିପାରିଛନ୍ତି। କିନ୍ତୁ ମୋଦୀ ସରକାରଙ୍କ ୭ ବର୍ଷ କାର୍ଯ୍ୟକାଳରେ PEW ରିପୋର୍ଟ ଅନୁଯାୟୀ, କେବଳ ୨୦୨୦ ମସିହାରେ ଦେଶର ୩.୨୦ କୋଟି ଲୋକ ମଧ୍ୟବିତ୍ତ ବର୍ଗରୁ ବଞ୍ଚିତ ହୋଇଛନ୍ତି। କେବଳ ଏତିକି ନୁହେଁ, ୨୩ କୋଟି ଭାରତୀୟ ପୁଣି ଥରେ ଦାରିଦ୍ର ସୀମାରେଖା ତଳକୁ ଚାଲିଯାଇଛନ୍ତି। ଦାରିଦ୍ର୍ୟ ବଦଳରେ ମୋଦୀ ସରକାର ଗରିବ ଲୋକଙ୍କ ଉପରେ ପ୍ରହାର କରିଛନ୍ତି।
୬. ମହାମାରୀର ମାଡ , ନକ୍କମୀ ଏବଂ ଅପାରଗ ସରକାର
କରୋନା ମହାମାରୀର ଭୁଲ ପରିଚାଳନା ହେତୁ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣ ହରାଇଲେ। ମୃତ୍ୟୁର ସରକାରୀ ସଂଖ୍ୟା ହେଉଛି 3,22,512, କିନ୍ତୁ ବାସ୍ତବ ସଂଖ୍ୟା ଏହାଠାରୁ ଅଧିକ ଭୟାନକ। କରୋନା ମହାମାରୀ ଗାଁ ସହରରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପ୍ରିୟଜନଙ୍କୁ ସେମାନଙ୍କ ଠାରୁ ଛଡ଼ାଇ ନେଇଥିଲା, କିନ୍ତୁ ମୋଦୀ ସରକାର ଦେଶ ଚଳାଇବା ପରିବର୍ତ୍ତେ ପଛଘୁଞ୍ଚା ଦେଲେ। ସାରା ଦେଶରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଛି । ତେବେ ନଭେମ୍ବର 2020 ରେ ଦେଶର ସଂସଦୀୟ କମିଟି ଏ ବିଷୟରେ ଚେତାବନୀ ଦେଇଛି। କଂଗ୍ରେସ ଠାରୁ ଆରମ୍ଭ କରି ବିଶେଷଜ୍ଞ ଏବିଷୟରେ ବାରମ୍ବାର ଚେତାବନୀ ଦେଇଛନ୍ତି, କିନ୍ତୁ ମୋଦୀ ସରକାର 2021 ଜାନୁୟାରୀ ପର୍ଯ୍ୟନ୍ତ 9000 ଟନ୍ ଅମ୍ଳଜାନ ବିଦେଶକୁ ରପ୍ତାନି ଜାରି ରଖିଥିଲେ। ରେମେଡିସିଭର ଇଞ୍ଜେକ୍ସନ ନମିଳିବାରୁ ଦେଶର ଲୋକମାନେ ପୋକ ମାଛି ପରି ମରିଗଲେ। କିନ୍ତୁ ମୋଦୀ ସରକାର 11 ଲକ୍ଷରୁ ଅଧିକ ରେମେଡିସିଭର ଇଞ୍ଜେକ୍ସନ ରପ୍ତାନି କରିଥିଲେ।
୭. ଜାତୀୟ ସୁରକ୍ଷା ସହିତ ଖେଳିଲେ
ଦେଶର ସାର୍ବଭୌମତ୍ୱ ତଥା ସୀମାର ସୁରକ୍ଷା କରିବାରେ ମୋଦୀ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସୁରଜେୱାଲା କହିଛନ୍ତି। ଚୀନ୍କୁ ନାଲି ଆଖି ଦେଖାଇବା ତ ଦୂରର କଥା ଲଦାଖରେ ଆମର ସୀମା ଭିତରେ ପ୍ରବେଶ କରିଥିବା ଚୀନ୍ ସୈନିକଙ୍କୁ ବିଜେପି ସରକାର ଅଟକାଇ ପାରିଲା ନାହିଁ। ଆଜି ମଧ୍ୟ ଚୀନ୍ ଡେପସଙ୍ଗ ଅଞ୍ଚଳରେ ଥିବା ଭାରତୀୟ ସୀମା ମଧ୍ୟରେ LAC ଦଖଲ କରି ଭାରତର ଷ୍ଟ୍ରାଟେଜିକ୍ ଏୟାରଷ୍ଟ୍ରିପ୍, ଡଲାଟବେଗ ଓଲଡି ଏୟାର ଷ୍ଟ୍ରିପ୍ ପ୍ରତି ସିଧାସଳଖ ବିପଦ ସୃଷ୍ଟି କରିଛି। କିନ୍ତୁ ମୋଦୀ ସରକାର ନିରବ ବସିଛନ୍ତି। ଏଥିରୁ ସ୍ପଷ୍ଟ ଯେ ସାତ ବର୍ଷ ଧରି ମୋଦୀ ସରକାରଙ୍କ ବିଫଳତା ଦେଶ ଏବେ ଭୋଗୁଛି। ତେଣୁ ମୋଦୀ ସରକାର ଦେଶ ପାଇଁ କ୍ଷତିକାରକ।