କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ବନ୍ଦ୍ବ, ଏମ୍ସ ନିର୍ଦ୍ଦେଶକଙ୍କ ପରାମର୍ଶ – ହସ୍ପିଟାଲ ଓ ରାଜ୍ୟମାନେ ମୃତ୍ୟୁ ସଂଖ୍ୟାର ଅଡିଟ୍ କରନ୍ତୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଲୁଚାଯାଉଥିବା ନେଇ ବିବାଦ ବଢ଼ିବାରେ ଲାଗିଛି। ‌ବିଭିନ୍ନ ରାଜ୍ୟ ସଠିକ୍ ମୃତ୍ୟୁ ସଂଖ୍ୟା ଲୁଚାଉଥିବା ନେଇ ଅଭିଯୋଗ ହେଉଛି। ନିକଟରେ ବିହାର ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଥିବା ନେଇ ଖୁଲାସା ହୋଇଥିଲା । ଏହାକୁ ନେଇ ବିଶେଷଜ୍ଞ ମାନେ ଚିନ୍ତା ପ୍ରକଟ କରିଛନ୍ତି । ନିକଟରେ ମାଡ୍ରାସ ହାଇକୋର୍ଟ ମଧ୍ୟ ଏ ନେଇ କ୍ଷୋଭ ପ୍ରକାଶ କରିଥିଲେ । କୋଭିଡ୍‌ ମୃତ୍ୟୁ ରିପୋର୍ଟ ବାବଦରେ ପାରଦର୍ଶିତା ରକ୍ଷା ପାଇଁ ହସ୍ପିଟାଲ ଏବଂ ରାଜ୍ୟମାନେ ରଣନୀତି ପ୍ରସ୍ତୁତ କରିବା ସହ ଅଡିଟ୍‌ କରିବାକୁ ଦେଶର ଭେଟେରାନ୍ ଡକ୍ଟର ତଥା ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ କରୋନା କାରଣରୁ ହେଉଥିବା ମୃତ୍ୟୁର ଭୁଲ ତଥ୍ୟ କରୋନା ବିରୋଧରେ ଲଢେଇରେ ବାଧା ସୃଷ୍ଟି କରିପାରେ। ଏଥିପାଇଁ ରାଜ୍ୟ ସରକାର ମାନେ ପୁନଃ ଯାଞ୍ଚ କରିବା ଆବଶ୍ୟକ ଏବଂ ମୃତ୍ୟୁ ରିପୋର୍ଟ ଅଡିଟ୍ କରିବା ଦରକାର। ଏହା ଦ୍ବାରା ସଠିକ୍ ଆକଳନ କରାଯାଇ ପାରିବ। ଡକ୍ଟର ଗୁଲେରିଆଙ୍କ ଏହି ବୟାନ ଏଭଳି ଏକ ସମୟରେ ଆସିଛି ଯେତେବେଳେ ବିଭିନ୍ନ ରାଜ୍ୟ ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଅଭିଯୋଗ ହେଉଛି । ଏପ୍ରିଲ ମାସରେ ଶବଦାହ କରାଯାଇଥିବା ଲୋକଙ୍କ ସଂଖ୍ୟା ଏବଂ ସରକାରୀ ରେକର୍ଡରେ ଥିବା ମୃତ୍ୟୁ ସଂଖ୍ୟା ମଧ୍ୟରେ ତାଳମେଳ ରହୁ ନାହିଁ। ଏନଡିଟିଭି କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ଯଦି ଧରିନିଆଯାଉ କୌଣସି ବ୍ୟକ୍ତିର ହୃଦଘାତରେ ମୃତ୍ୟୁ ଘଟିଛି। କରୋନା କାରଣରୁ ମଧ୍ୟ ହୃଦଘାତ ହୋଇଥାଇପାରେ। କିନ୍ତୁ ଉକ୍ତ ବ୍ୟକ୍ତିର ମୃତ୍ୟୁକୁ ଯଦି ଅଣ-କରୋନା ମୃତ୍ୟୁରେ ଗଣନା କରାଯାଏ , କିନ୍ତୁ ବାସ୍ତବରେ କରୋନା ଜନିତ ମୃତ୍ୟୁରେ ଗଣାଯିବା ଉଚିତ। ଡକ୍ଟର ଗୁଲେରିଆ କହିଛନ୍ତି ଯେ- ‘ଡାକ୍ତରଖାନା ଏବଂ ରାଜ୍ୟ ସରକାର ମାନେ ମୃତ୍ୟୁ ସଂଖ୍ୟାକୁ ଅଡିଟ୍ କରିବା ଆବଶ୍ୟକତା। ଏଥିରୁ ସ୍ପଷ୍ଟ ହୋଇପାରିବ ଯେ ମୃତ୍ୟୁ ହାରର ସ୍ଥିତି କ’ଣ ଏବଂ ଏହାକୁ ହ୍ରାସ କରିବା ପାଇଁ କଣ ପଦକ୍ଷେପ ନିଆଯାଇ ପାରିବ। ଏବଂ ମୃତ୍ୟୁ ହାର ହ୍ରାସ କରିବା ପାଇଁ ସଠିକ୍ ରଣନୀତି ପ୍ରସ୍ତୁତ କରାଯାଇ ପାରିବ । ଯଦି ସଠିକ୍ ତଥ୍ୟ ରେକର୍ଡ କରାନଯାଏ ତେବେ ମୃତ୍ୟୁ ହାର ହ୍ରାସ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା କଷ୍ଟକର ହେବ।

Related Posts