
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଲକଡାଉନ୍ ଓ ସଟଡାଉନ୍ ସମୟରେ ପୁଲିସଙ୍କ ଚିନ୍ତା ବଢାଇଛନ୍ତି ଅମାନିଆ । ଟୁଇନସିଟି ଅମାନିଆଙ୍କୁ ସାବାଡ୍ କରିବାକୁ କଡ଼ା ଆଇନ ଲାଗୁ କଲା କମିଶନରେଟ ପୋଲିସ । ଏଣିକି ଆଉ ବିନା ପାସରେ କୌଣସି ବ୍ୟକ୍ତି ବାହାରେ ବୁଲି ପାରିବେନି । ଅଫିସ୍ ଆଳ ଦେଖାଇ ଯେଉଁମାନେ ମନ ଇଚ୍ଛା ବାହାରେ ବୁଲୁଥିଲେ ସେମାନଙ୍କୁ ରୋକିବା ପାଇଁ କମିଶନରେଟ ପୋଲିସ ସବୁ ଘରୋଇ ଅଫିସ୍ କର୍ମଚାରୀଙ୍କ ପାଇଁ ଏଣିକି ଇ-ପାସ୍ ବାଧ୍ୟତାମୂଳକ କରାଯାଇଛି । ଯଦି ଇ-ପାସ୍ ନଥାଇ କୌଣସି ବ୍ୟକ୍ତି ବାହାରକୁ ବାହାରନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ କହିଛି । ଇ-ପାସ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଇ-ଆପ୍ଲିକେସନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଦୈତ୍ୟନଗରୀର ଘରୋଇ କଂପାନୀ ଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହି ଇ-ପାସ୍ ବ୍ୟବସ୍ଥା କରାଯାଇଛି । ଇ-ପରମିଶନ ଓ ଆଇ-କାର୍ଡ ଦେଖାଇ କର୍ମଚାରୀ ଅଫିସ ଯାଇପାରିବେ। ଏତଦ୍ ବ୍ୟତୀତ ଘରୋଇ ସଂସ୍ଥାଗୁଡ଼ିକରେ କୋଭିଡ ଗାଇଡ୍ ଲାଇନ୍ ସଠିକ୍ ଭାବେ ପାଳନ କରାଯାଉଛି କି ନାହିଁ, ସେନେଇ କମିଶନରେଟ ପୋଲିସ ପକ୍ଷରୁ ଯାଞ୍ଚ କରାଯିବ। କୋଭିଡ୍ ଗାଇଡ୍ ଲାଇନ୍ ଉଲଂଘନ କଲେ କଡ଼ା କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍ ପୁଲିସ ପକ୍ଷରୁ କଡା ଚେତାବନୀ ଦିଆଯାଇଛି । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏ ନେଇ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି।