ଛିଡ଼ୁନି ଆସାମ ଗଣିତ – ସୋନୋୱାଲ ଓ ହିମନ୍ତ ଶର୍ମାଙ୍କୁ ଦିଲ୍ଲୀ ସମନ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ? ଏବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ରାଜ୍ୟର ସବୁଠାରୁ ପାୱାରଫୁଲ୍ ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ନୂଆଦିଲ୍ଲୀ ସମନ୍ କରିଛନ୍ତି। ଗତ ମାସରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ମେ ୨ ରେ ଘୋଷଣା ହେବା ପରେ ବିଜେପି ଗଠବନ୍ଧନ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ତେବେ ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା କୁ ନେଇ  ଦଳର ସର୍ବୋଚ୍ଚ ନେତୃତ୍ୱକୁ ବ୍ୟସ୍ତ ଥିବାରୁ ଆସାମ ଉପରେ ନିଷ୍ପତ୍ତି ବିଳମ୍ବ ହେଉଛି ବୋଲି ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସୂଚନା ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ ସୋନୋୱାଲ ଏବଂ ହିମନ୍ତ ବିଶ୍ବ ଶର୍ମାଙ୍କୁ ଆଜି ସକାଳ 10 ଟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବାକୁ କୁହାଯାଇଛି।  ବିଜେପି ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଦଳ ଶେଷ ନିଷ୍ପତ୍ତି ନେବା ପୂର୍ବରୁ ଉଭୟ ନେତାଙ୍କ ସହ ମୁହାଁମୁହିଁ ଆଲୋଚନା କରିବାକୁ ଚାହୁଁଛି। ଆସାମରେ କୌଣସି ପ୍ରକାର ରାଜନୈତିକ ଅସ୍ଥିରତାକୁ ଏଡେଇବା ପାଇଁ ଦଳ ଏହି ଦୁଇ ବଡ ନେତାଙ୍କୁ ଦିଲ୍ଲୀ ଡାକି ଆଲୋଚନା କରିବାକୁ ଚାହୁଁଛି । ସୋନୋୱାଲଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଥିବାବେଳେ ହିମନ୍ତ ଶର୍ମା ମଧ୍ୟ ଜଣେ ଲୋକପ୍ରିୟ ନେତା ଏବଂ ଦଳକୁ ଜିତାଇବାରେ ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେବେ ଏହି ଦୁଇ ନେତାଙ୍କ ମଧ୍ୟରୁ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରିବ ଏବେ ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଆସାମର ସୋନୋୱାଲ-କାଚରୀ ଆଦିବାସୀ ସମ୍ପ୍ରଦାୟ ରୁ ଆସୁଥିବା ସୋନୋୱାଲ ଏବଂ ଉତ୍ତର ପୂର୍ବ ଗଣତାନ୍ତ୍ରିକ ମିଳିତ ମଞ୍ଚର ସଂଯୋଜକ ହିମନ୍ତ ବିଶ୍ୱ ଶର୍ମା , ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ  ଜେପି ନାଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଜେନେରାଲ ବି.ଏଲ୍ ସନ୍ତୋଶ ଙ୍କୁ ନେଇ ଏହି ବୈଠକ ହେବ ବୋଲି ସୂଚନା ମିଳିଛି ।  ବିଜେପି ଏପର୍ଯ୍ୟନ୍ତ ଏହାର ସଂସଦୀୟ ବୋର୍ଡର ବୈଠକ ଡାକି ନାହିଁ, ଯାହା ସାଧାରଣତଃ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ନିଷ୍ପତ୍ତି ନେଇଥାଏ। 2016 ନିର୍ବାଚନରେ ​​ବିଜେପି ସର୍ବାନନ୍ଦ ସୋନୋୱାଲଙ୍କୁ ଏହାର ମୁଖ୍ୟମନ୍ତ୍ରୀ ଭାବରେ ପ୍ରୋଜେକ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ଉତ୍ତର-ପୂର୍ବରେ ଦଳ ପ୍ରଥମ ଥର ପାଇଁ ସରକାର ଗଠନ କରିଥିଲା। 126 ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭା ପାଇଁ ଘୋଷିତ ଫଳାଫଳରେ ବିଜେପି ୬୦ ଟି ସିଟ୍ ଏବଂ ଏହାର ସହଯୋଗୀ ଭାଗୀଦାରୀ AGP ୯ ଏବଂ UPPL ୬ ଟି ସିଟ୍ ଜିତିଛି।

Related Posts