
କୋଣାର୍କ: ବାହାଘର ପ୍ରୋସେସନ ବେଳେ ଘଟିଲା ଏକ ଅଭାବନୀୟ ଘଟଣା | ସାମାନ୍ୟ ବଚସାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ହେଲା ରକ୍ତପାତ । ଟେଣ୍ଟ କପଡ଼ା ଚିରିବା ଘଟଣାକୁ ନେଇ ମୁହାଁମୁହିଁ ହେଲେ ଟେଣ୍ଟ ମାଲିକ ଓ ଡିଜେ ମାଲିକ । ଟେଣ୍ଟ ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଣେ ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ପିପିଲି- କୋଣାର୍କ ରାସ୍ତାର ବେଗୁନିଆ ଛକରେ ରାସ୍ତା ଅବରୋଧ କରିଥିବାର ସୂଚନା ମିଳିଛି।
ଏଭଳି ଅଭାବନୀୟ ଘଟଣା ପୁରୀ ଗୋପ ଥାନା ବାଲିକନ୍ଦଳ ଗାଁରେ ଗତ ରାତିରେ ଘଟିଛି। ମୃତକ ହେଲେ ଏରବଙ୍ଗ ଗ୍ରାମର ଲିପନ ପ୍ରଧାନ । ଉତ୍ତ୍ୟକ୍ତ ଲୋକେ ବାଲିକନ୍ଦଳଠାରେ କୋଣାର୍କ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।
ଗତକାଲି ରାତିରେ ନିମାପଡ଼ାରୁ ଏକ ବରଯାତ୍ରୀ ଦଳ ଗୋପ ଥାନା ବେଦପୁରର ବାଲିକନ୍ଦଳ ଗାଁକୁ ଆସିଥିଲେ । ହେଲେ କନ୍ୟା ଘରେ ପହଞ୍ଚିବା ପୂର୍ବରୁ ଡିଜେ ଗାଡ଼ି ବାଜି ଗାଁର ଅନ୍ୟ ଏକ ସ୍ଥାନରେ ହେଉଥିବା ବିବାହ ଭୋଜିର ଟେଣ୍ଟ କପଡ଼ା ଚିରି ଯାଇଥିଲା। ଏହାଦେଖି ଉତ୍ତ୍ୟକ୍ତ ଟେଣ୍ଟ ମାଲିକ ସୁଯୋଗ ଅପେକ୍ଷାରେ ଥିଲେ। ନିର୍ଦ୍ଧାରିତ ସ୍ଥାନରେ ବାହାଘର ପ୍ରୋସେସନ ସରିବା ପରେ ଡିଜେ ଗାଡ଼ି ଫେରି ଆସିଥିଲା। ଫେରିବା ସମୟରେ ଟେଣ୍ଟ ମାଲିକ ଲିପନ ପ୍ରଧାନ ଡିଜେ ଗାଡ଼ିକୁ ଅଟକାଇଥିଲେ। ଏହାପରେ ଡିଜେ ମାଲିକ ଓ କର୍ମଚାରୀଙ୍କ ସହ ତାଙ୍କର ବଚସା ହେବା ସହ କଥା ଉଗ୍ର ରୂପ ଧାରଣ କରିଥିଲା।
ଏଥିରେ ଉତ୍ତ୍ୟକ୍ତ ହୋଇ ଡିଜେ ମାଲିକ ଓ ତାଙ୍କର କିଛି କର୍ମଚାରୀ ଲିପନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଲିପନଙ୍କ ଶରୀରରେ ଏକାଧିକ ଚୋଟ ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ଲିପନ ପ୍ରଧାନଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଘଟଣା ସ୍ଥଳରୁ ଡିଜେ ଗାଡି ଜବତ କରି ଗୋପ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଲିପନଙ୍କ ଘର ନିକଟସ୍ଥ ଏରବଙ୍ଗ ଗ୍ରାମରେ ବୋଲି ଜଣାପଡିଛି ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି। ହତ୍ୟା ଘଟଣାକୁ ନେଇ ପିପିଲି କୋଣାର୍କ ରାସ୍ତାର ବେଗୁନିଆ ଛକରେ ମୃତକଙ୍କ ପରିବାର ଏବଂ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା ବି ରାସ୍ତାରୋକ ଓ ଧାରଣାରେ ସାମିଲ ହୋଇଥିବା ଜଣାଯାଇଛି।