
ବଲାଙ୍ଗିର: ପ୍ରେମ ପାଇଁ ସାତ ସମୁଦ୍ର ପାର କରି ଆସିଲେ ବିଦେଶୀ ଯୁବତୀ | ଓଡ଼ିଆ ପୁଅ ତଥା ବଲାଙ୍ଗିର ଜିଲ୍ଲାର ପୁଅ ସୌରଭ ସେନାପତିଙ୍କ ଧରିଲେ ହାତ | ପରିବାର ଲୋକ ମଧ୍ୟ ଉଭୟଙ୍କ ପ୍ରେମ ସମ୍ପର୍କ କୁ ସ୍ୱୀକୃତି ଦେଇଛନ୍ତି | ଫଳରେ ଓଡ଼ିଆ ରୀତିନୀତି ରେ ଉଭୟଙ୍କ ବିବାହ ସମ୍ପର୍ଣ ହୋଇଛି |
କଥାରେ ଅଛି ପ୍ରେମରେ ନ ଥାଏ ଭାଷା ନ ଥାଏ ସୀମା ସରହଦ। ଦୁଇଟି ହୃଦୟ ଯୋଡ଼ି ହେବାକୁ କଥାକୁହା ଆଖି ହିଁ ଯଥେଷ୍ଟ। ଏକ ସଙ୍ଗେ କାମ କରୁ କରୁ କେତେବେଳେ ପରସ୍ପରର ନିକଟତର ହୋଇଗଲେ, କେତେବେଳେ ପରସ୍ପରର ହୃଦୟର ସ୍ପନ୍ଦନ ପାଲଟିଗଲେ ଜାଣି ପାରିଲେନି ଏହି ଯୋଡ଼ି। ଶେଷରେ ପ୍ରେମ ନେଲା ବାସ୍ତବ ରୂପ । ସାତ ସମୁଦ୍ର ପାର୍ ହୋଇ ଓଡ଼ିଅ ଘରର ବୋହୂ ସାଜିଲେ ବିଦେଶୀ ଯୁବତୀ ।
ମଥାରେ ଓଢ଼ଣୀ, ସିନ୍ଥିରେ ସିନ୍ଦୂର ପିନ୍ଧାଇ ସ୍ଲୋଭେନିଆ ଯୁବତୀ ଏମାଙ୍କୁ ନିଜ ଘରଣୀ ଭାବ ଗ୍ରହଣ କଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଡେଡ଼ଗାଁର ସୌରଭ ସେନାପତି। ବେଦୀ ନିଆଁରେ ସାତ ଜନ୍ମ ପାଇଁ ପରସ୍ପରର ସାଥୀ ହୋଇ ବାଟ ଚାଲିବେ ବୋଲି ଶପଥ ନେଲେ ସୌରଭ ଓ ଏମା ।
ଡେଡ଼ଗାଁର ପ୍ରେମଲାଲ ସେନାପତିଙ୍କ ପୁଅ ସୌରଭ ଜର୍ମାନୀର ଏକ କମ୍ପାନୀରେ ଚାକିରି କରୁଛନ୍ତି । ସେହି କମ୍ପାନୀରେ ଏମା ମଧ୍ୟ କାର୍ଯ୍ୟରତ ଅଛନ୍ତି। ଉଭୟଙ୍କ ମଧ୍ୟରେ ଥିବା ଔପଚାରିକତା କେତେବେଳେ ଯେ, ପ୍ରେମରେ ରୂପାନ୍ତର ହେଲା ତାହା ଉଭୟ ସୌରଭ ଓ ଏମା ମଧ୍ୟ ଜାଣିପାରିଲେନି। ହେଲେ ପରସ୍ପରଠୁ ଦୂରତା ଉଭୟଙ୍କୁ ଖୁବ୍ ବାଧିଲା। ଏହାପରେ ଉଭୟେ ସାତ ଜନ୍ମ ପାଇଁ ସାଥୀ ହେବେ ବୋଲି ନିଷ୍ପତ୍ତି ନେଲେ ।
ପୁଅର ଖୁସିରେ ସୌରଭଙ୍କ ପରିବାର ସମ୍ମତି ପ୍ରକାଶ କରିବା ପରେ ଗତ ୨୦ ତାରିଖରେ ଭୁବନେଶ୍ୱରର ଏକ ହୋଟେଲରେ ଆୟୋଜିତ ହେଲା ବିବାହ ଉତ୍ସବ। କନ୍ୟା ଏମାଙ୍କ ପୁରା ପରିବାର ଏହି ଉତ୍ସବରେ ସାମିଲ ହୋଇ ବାହାଘରର ମଜା ନେଇଥିଲେ ।
ସେମାନଙ୍କୁ ଓଡ଼ିଶାର ସଂସ୍କୃତି, ପରମ୍ପରା, ରୀତିନୀତି, ଖାଦ୍ୟପେୟ ଓ ପୋଷାକ ପରିଧାନ ଶୈଳୀ ଖୁବ୍ ଭଲ ଲାଗିଥିବା କହିଛନ୍ତି । ସେହିପରି ପୁଅ ଘର ଗାଁ ଦେଢ଼ଗାଁ ଠାରେ ପରିବାର ସଦସ୍ୟ ଓ ସମାଜ ଲୋକଙ୍କୁ ନେଇ ମଧ୍ୟ ଏକ ଭୋଜିର ଆୟୋଜନ କରାଯାଇଥିଲା । ସେପଟେ ଏହି ବିବାହ କୁ ନେଇ ଅଂଚଳରେ ଚର୍ଚା ବେଶ ଜୋର ଧରିଛି |