ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରଥମେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ପରେ ରାଜ୍ୟସଭା ସଂସଦ ମୁନ୍ନା ଖାଁ, ଆଉ ତାଙ୍କ ପରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ | ବିଜେଡି ଖୁବଶୀଘ୍ର ପୁଣି ସରକାରକୁ ଫେରିବା ନେଇ ବୟାନ ଦେଇଥିଲେ ଏମାନେ | ଆଉ ନିଜ ନିଜ ବୟାନରେ ସରକାର ଗଢିବାର ଫର୍ମୁଲା ମଧ୍ୟ କହିଥିଲେ | କିଏ ଉପନିର୍ବାଚନ ଜିତି ତ କିଏ କଂଗ୍ରେସ ସହ ମିଶି ଆଉ କିଏ ବିଜେପିକୁ ଭାଙ୍ଗି ସରକାରକୁ ଫେରିବାକୁ କହିଥିଲେ | ହେଲେ ଆଜି ଏ ସମସ୍ତଙ୍କ ଗାଲରେ ଚଟକଣୀ ମାରିଛନ୍ତି ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ର | ନାଁ ନେଇନଥିଲେ ମଧ୍ୟ କଥା କଥାରେ ଦେବାଶିଷ-ମୁନ୍ନା-ଅତନୁଙ୍କ ମତିଭ୍ରମ ହୋଇଛି ବୋଲି କହିଛନ୍ତି ବଦ୍ରି | ଏଥିସହିତ ବିଜେଡି ପୁଣି କ୍ଷମତାକୁ ଫରିବା କଥା କୁ ସେ ଖଣ୍ଡନ କରିଛନ୍ତି |
ବଦ୍ରି କହିଛନ୍ତି, ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା । ଦଳର ଯେଉଁ ନେତା ଏକଥା କହୁଛନ୍ତି ତାର ଯଥାର୍ଥତା ନାହିଁ ।ସଂଖ୍ୟା ଗରିଷ୍ଠତା ହାସଲ କରି ବିଜେପି ସରକାରକୁ ଆସିଛି । ଆମକୁ ବିରୋଧୀ ଭୂମିକାରେ ଲୋକେ ବସାଇଛନ୍ତି | ୟା ପରେ ବି ବିଜେଡି କଂଗ୍ରେସ ସହ ମିଶି ସରକାର କରିବ କଥା ଅବାସ୍ତବ । ଏପରି ଅବାସ୍ତବ କଥା କହିବାକୁ ସେମାନେ ପ୍ରାଧିକୃତ କି ନାହିଁ ମୁଁ ଜାଣିନି । ନବୀନ ବାବୁ ଏହା କହିବାକୁ ତାଙ୍କୁ କହିଛନ୍ତି କି ନାହିଁ ଜାଣିନି । ବିଜେପି ସହ ଆମେ ସମଦୂରତାରେ ଅଛୁ । କଂଗ୍ରେସ ସହ ଆମେ କେବେ ନଥିଲୁ । ଯେଉଁମାନେ ବିଜେଡି କଂଗ୍ରେସ ସହ ମିଶି ସରକାର ଗଢିବା କଥା କହୁଛନ୍ତି ସେମାନଙ୍କ ମତିଭ୍ରମ ହୋଇଛି । ଏପରି ମନ୍ତବ୍ୟ ଦେଇ ସେମାନେ ନିନ୍ଦିତ ହେଉଥିବା କହିଛନ୍ତି ବିଧାୟକ ବଦ୍ରି ପାତ୍ର ।
ସେପଟେ ବିଜେଡିର ଜଣେ ପରେ ଜଣେ ନେତା ପୁଣି ସରକାରକୁ ଫେରିବା ନେଇ ମନ୍ତବ୍ୟ ଦେଉଥିବା ବେଳେ ବଦ୍ରୀଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି |