
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନର ଅଲୱାର ମନ୍ଦିର ଧ୍ୱଂସ ପ୍ରସଙ୍ଗକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ସେପଟେ ରାଜଗଡ଼ରେ ଜବରଦଖଲ ନିରୋଧୀ ଅଭିଯାନ ସମୟରେ ୩ଟି ମନ୍ଦିର ଓ ଦୋକାନ ଭଙ୍ଗା ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରି ରାଜସ୍ଥାନର ଅଲୱାରରେ ଭାରତୀୟ ଜନତା ପାର୍ଟି ଏବଂ ବିଶ୍ବ ହିନ୍ଦୁ ପରିଷଦ୍ ଭଳି ହିନ୍ଦୁତ୍ବ ସଙ୍ଗଠନ ସବୁ ଆକ୍ରୋଶ ରାଲି ବାହାର କରିଛନ୍ତି। ସେପଟେ ଗତ ସପ୍ତାହରେ ରାଜସ୍ଥାନର ଅଲ୍ୱାର୍ ଜିଲ୍ଲାରେ ୩ଟି ମନ୍ଦିର ଓ ୮୬ଟି ଦୋକାନ ଭାଙ୍ଗି ଦିଆଯାଇଥିଲା। ରାଜଗଡ଼ ସହରର ରାସ୍ତା ଚଉଡ଼ା କରିବା ଲାଗି ଏହି ଜବରଦଖଲ ନିରୋଧୀ ଅଭିଯାନ ଚାଲିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଧ୍ବଂସ କରାଯାଇଥିବା ମନ୍ଦିରଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ୩୦୦ ବର୍ଷ ପୁରୁଣା ଶିବ ମନ୍ଦିର।
ସମାନ ସ୍ଥାନରେ ଉକ୍ତ ମନ୍ଦିରକୁ ପୁନଃ ନିର୍ମାଣ କରାଯାଉ ବୋଲି ପ୍ରତିବାଦକାରୀମାନେ ଦାବି କରୁଛନ୍ତି। ସହିଦ ସ୍ମାରକରୁ ବାହାରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଅଭିମୁଖେ ଯାଉଥିବା ଏହି ରାଲିରେ ଅଲ୍ୱାର ସାଂସଦ ବଳାକନାଥ ଏବଂ ଅନ୍ୟାନ୍ୟ ସାଧୁସନ୍ଥ ଯୋଗ ଦେଇଛନ୍ତି। ଜୟ ଶ୍ରୀରାମ ବୋଲି ଚିତ୍କାର କରୁଥିବା ପ୍ରତିବାଦକାରୀମାନଙ୍କୁ ଅଟକାଇବା ଲାଗି ପୁଲିସ ବାରିକେଡ୍ ବସାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।