
ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପୁଣି ଲାଗିଛି ସରକାରୀ ଝଟ୍କା । ମାତ୍ର ଦିନକ ତଳେ ବାଧ୍ୟତାମୂଳକ ଛୁଟିରୁ ଫେରି ଅଫିସ୍ରେ ଯୋଗ ଦେଇଥିବା ଆଲୋକ ବର୍ମାଙ୍କୁ ଏଥର ପଦରୁ ହଟାଇ ଦେଇଛନ୍ତି କେନ୍ଦ୍ର ସରକାର । ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇ ଅଗ୍ନିଶମ ସେବା ଏବଂ ହୋମଗାର୍ଡ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ ସମିତି ବୈଠକରେ ଏହି ନିଷ୍ପତ୍ତି ନିଆଗଲା । ଏହି ସମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛଡ଼ା ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଏ.କେ ସୀକରୀ ଓ ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ୍ ଖଡ଼ଗେ ସାମିଲ୍ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଆବାସରେ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଗଲା ।
ଏହି ବୈଠକରେ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜଷ୍ଟିସ୍ ସୀକରୀଙ୍କ ନିଷ୍ପତ୍ତି ସହ ଅସହମତ ଦେଖାଗଲେ ଆଉ ସେ ଏ ନେଇ ଆପତ୍ତି ମଧ୍ୟ କଲେ । ଏହା ସତ୍ବେ ଏହି ପ୍ୟାନେଲ୍ 2-1ରେ ନିଷ୍ପତ୍ତି ନେଲେ ଯେ ଆଲୋକ ବର୍ମାଙ୍କୁ ନିର୍ଦ୍ଦେଶକ ପଦରୁ ହଟାଇ ଦିଆଯିବ ।
ଏହା ପୂର୍ବରୁ ମଙ୍ଗଳବାର ସୁପ୍ରିମକୋର୍ଟ ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରେ ପୁନଃ ଅବସ୍ଥାପିତ କରିଥିଲେ । ତାଙ୍କ ସରକାର ପ୍ରାୟ ଦୁଇ ମାସ ପୂର୍ବରୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଥିଲେ । ଆଲୋକ ବର୍ମା ଓ ଯୁଗ୍ମ ନିର୍ଦ୍ଦେଶକ ରାକେଶ ଅସ୍ଥାନା ପରସ୍ପର ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲେ । ଯାହା ପରେ ସେମାନଙ୍କୁ କେନ୍ଦ୍ର ସରକାର ଛୁଟିରେ ପଠାଇ ଦେଇଥିଲେ ।
ବୁଧବାର ପୁଣି ଥରେ ସିବିଆଇ ନିର୍ଦ୍ଦେଶକ ଭାବେ ଯୋଗ ଦେବା ପରେ ଆଲୋକ ବର୍ମା, ନାଗେଶ୍ବର ରାଓ ନେଇଥିବା ସମସ୍ତ ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ । ନାଗେଶ୍ବର ରାଓଙ୍କୁ ଆଲୋକବର୍ମାଙ୍କ ଅନୁପସ୍ଥିତିରେ ଅନ୍ତରୀଣ ସିବିଆଇ ପ୍ରମୁଖ ଭାବେ ନିଯୁକ୍ତ କରାଯାଇଥିଲା । କୁହାଯାଉଛି ଯେଉଁ ଅଧିକାରୀମାନଙ୍କୁ ନାଗେଶ୍ବର ରାଓ ବଦଳି କରିଥିଲେ, ସେମାନେ ଆଲୋକ ବର୍ମାଙ୍କ ବିଶ୍ବାସପାତ୍ର ଥିଲେ ।