‘ଏମିତି କେଉଁଠି ସେନାରେ ନିଯୁକ୍ତି ଦିଆଯାଏ ?’; ଅଗ୍ନିବୀର ଯୋଜନାକୁ ନେଇ ଗୃହରେ ପ୍ରଶ୍ନ ଉଠାଇଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ବିଧାନସଭାରେ କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଏହି ଯୋଜନାରେ ନିଯୁକ୍ତିକୁ ନେଇ ପ୍ରମିଳା କହିଛନ୍ତି ଯେ, କେନ୍ଦ୍ର ସରକାର କାହିଁକି ୪ ବର୍ଷ ପାଇଁ ସେନାରେ ନିଯୁକ୍ତି ଦେଉଛନ୍ତି । ତେବେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଏ ପ୍ରସଙ୍ଗ ଉଠାଇଥିଲେ ପ୍ରମିଳା । ବିଜେପି ସଦସ୍ୟମାନେ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଥିବାବେଳେ ରାଜସ୍ୱ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ କଂଗ୍ରେସ ସଦସ୍ୟ।

ତେବେ ଏନେଇ ପ୍ରମିଳା କହିଛନ୍ତି ଯେ, ଚୁକ୍ତିଭିତିକ ଚାକିରି ବିରୋଧରେ ବିଜେପି କଣ କଥା କହୁଛନ୍ତି । ଏମିତି କେଉଁଠି ସେନାଙ୍କୁ ଚାରି ବର୍ଷ ଚୁକ୍ତିରେ ରଖାଯାଏ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ରାଜ୍ୟ ସରକାର ଆଶା କର୍ମୀଙ୍କ ଦରମା ବି ବଢ଼ାଇଛି । ହେଲେ ସତ ଶୁଣିବାକୁ ବିରୋଧୀଙ୍କ ଧୈର୍ଯ୍ୟ ନାହିଁ ବୋଲି ପ୍ରମିଳା କହିଛନ୍ତି | ମାନ୍ଦାବସ୍ଥାରୁ ଓଡିଶାକୁ ଉଦ୍ଧାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାହାର ରାଜ୍ୟରେ ଓଡିଶା ତୁଳନାରେ ଅଧିକ ଆଉଟସୋର୍ସିଂ କର୍ମଚାରୀ କାମ କରୁଛନ୍ତି । ଓଡ଼ିଶାରେ ନିୟମିତ ଚାକିରି କରିବାକୁ ବିଭିନ୍ନ ଦିଗକୁ ଦେଖି ଅନୁଧ୍ୟାନ କରାଯାଉଛି । ରାଜସ୍ୱ ମନ୍ତ୍ରୀଙ୍କ ଉତ୍ତର ପରେ ଉପବାଚସ୍ପତି ବିରୋଧୀଙ୍କ ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ |

Related Posts