(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ସେଠାକାର ଲୋକେ ଆତଙ୍କିତ। ପୂର୍ବରୁ ମହିଳାଙ୍କ ଉପରେ ତାଲିବାନୀ ଆକ୍ରୋଶ କଥା ଭାବିବା ବେଳକୁ ଦେହ ଥରିଯାଉଛି। ସେତେବେଳେ ମହିଳାଙ୍କ ପାଇଁ ବୁର୍ଖା ବାଧ୍ୟତାମୂଳକ ଥିବା ବେଳେ ସେମାନଙ୍କୁ ଚାକିରୀ କରିବାର ସୁଯୋଗ ମିଳୁ ନଥିଲା । ନିୟମ ଉଲ୍ଲଙ୍ଘନ କଲେ ନିର୍ଯାତନା ଦିଆଯାଉଥିଲା ।
ଏବେ ତାଲିବାନ ଶାସନ ଫେରିବା ପରେ ମହିଳାଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତାଲିବାନ ନେତାମାନେ କହିଥିଲେ ଯେ ଇସଲାମ ନିୟମ ଅନୁସାରେ ସେମାନେ ମହିଳାମାନଙ୍କୁ କାମ କରିବାକୁ ସ୍ୱାଧୀନତା ଦେବେ ଏବଂ ସେମାନଙ୍କର ଅଧିକାର ସୁରକ୍ଷିତ ରହିବ । ତେବେ ତାଲିବାନଙ୍କ ଏଭଳି ଘୋଷଣା ପରେ ଆଫଗାନିସ୍ତାନରେ ବୁର୍ଖାର ଦାମ୍ ୧୦ ଗୁଣ ବୃଦ୍ଧି ପାଇଛି।
ଯେଉଁମାନେ ବୁର୍ଖା କିଣିବାରେ ଅକ୍ଷମ ହେଉଛନ୍ତି, ସେମାନେ ଘରେ ଥିବା ବେଡ୍ଶିଟ୍କୁ କାଟି ପୂରା ଶରୀରକୁ ଘୋଡ଼ାଇ ରଖିବା ଭଳି ବ୍ୟବସ୍ଥା କରୁଛନ୍ତି। ଏହାକୁ ନେଇ ଏବେ ଚାରିଆଡ଼େ ଭୟର ବାତାବରଣ ଦେଖାଯାଇଛି। ପୂର୍ବରୁ ଥିବା ତାଲିବାନ ଶାସନ ସମୟରେ ମହିଳା ମାନଙ୍କୁ ସେମାନଙ୍କ ଶରୀର ଓ ମୁହଁ ବୁର୍ଖାରେ ଢାଙ୍କିବାର ପ୍ରାବଧାନ ରହିଥିଲା। ସେମାନଙ୍କୁ ସ୍କୁଲ ଓ ଚାକିରି କରିବାକୁ ବାରଣ କରାଯାଉଥିଲେ। ସେହିପରି ସେମାନେ ଘର ବାହାରିବା ବେଳେ ସେମାନଙ୍କ ସହ ଘରର ଜଣେ ପୁରୁଷ ଲୋକ ଯିବାର ନିୟମ ରହିଥିଲା।
ଆଫଗାନିସ୍ତାନର ଅଧିକାଂଶ ମହିଳା ଭୟ କରୁଛନ୍ତି ଯେ ସେମାନେ ୧୯୯୬ ସ୍ଥିତି ପୁଣି ଥରେ ଫେରୁଛି। ତେବେ ୨୦୦୧ ରେ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଚିତ୍ର ବଦଳିଗଲା।
ଏହାପରେ ଆମେରିକା ଆଫଗାନିସ୍ତାନ ମାମଲାରେ ହସ୍ତକ୍ଷେପ କଲା ଏବଂ ଗଣତନ୍ତ୍ର ପ୍ରତିଷ୍ଠା କରିବାର ସ୍ୱପ୍ନ ସହିତ ହମିଦ କରଜାଇ ସରକାର ଆସିଲା। ତାଲିବାନକୁ ଆଫଗାନିସ୍ତାନର ପ୍ରମୁଖ ସହର ଗୁଡ଼ିକରୁ ଆମେରିକା ସେନା ବାହାର କରି ଦେଇଥିଲା। ମାତ୍ର ୨୦ ବର୍ଷ ପରେ, ମାତ୍ର କିଛି ସପ୍ତାହ ମଧ୍ୟରେ ତାଲିବାନ ଆଶ୍ଚର୍ଯ୍ୟଜନକ ଭାବେ କାବୁଲକୁ କବ୍ଜା କଲା ।
ତେବେ କାବୁଲ ଦଖଲ ପରେ ପ୍ରଥମ ଥର ପାଇଁ ପ୍ରେସ୍ କନଫରେନ୍ସ କରି ତାଲିବାନ ନେତୃତ୍ୱ ନିଶ୍ଚିତ କରିଛନ୍ତି ଯେ ମହିଳାଙ୍କୁ ପାଠପଢିବାର ଅଧିକାର ଦିଆଯିବ।